Spread the love

*ଜିରାତରା ଗାଁ ରେ ବନାଗ୍ନି ନିରାକରଣ ସଚେତନତା ସଭା*

ବରଗଡ଼:୦୯/୦୧ (ପବିତ୍ର ମେହେର)::ଜଙ୍ଗଲରେ ନିଆଁ ଲାଗିଲେ ପ୍ରାକୃତିକ ସନ୍ତୁଳନ ବାଧାପ୍ରାପ୍ତ ହୁଏ ଓ ଅବାଞ୍ଛିତ ଭାବରେ ଜଳବାୟୁ ପରିବର୍ତ୍ତନ ହୋଇଥାଏ।ଏହି ମର୍ମରେ ବରଗଡ଼ ବନଖଣ୍ଡ ଭଟଲି ବନାଞ୍ଚଳ ପକ୍ଷରୁ ଭଟଲି ବ୍ଲକ ଅଧୀନରେ ଥିବା ଜିରାତରା ଗ୍ରାମରେ ବନାଗ୍ନି ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଟଲି ବନପାଳ ରାଜେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ ସଞ୍ଜୟ ଖମାରୀ ଯୋଗ ଦେଇ ଜଙ୍ଗଲରେ ନିଆଁ ଲାଗିବାର କାରଣ ଓ ଜୈବ ବିବିଧତା ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ସମସ୍ତେ “ଆମ ଜଙ୍ଗଲ ଆମ ଭବିଷ୍ୟତ,ନିଆଁରୁ ସର୍ବଦା ରଖିବା ମୁକ୍ତ” ସଚେତନତା ବାର୍ତ୍ତା ବହନ କରି ବନାଗ୍ନି ନିୟନ୍ତ୍ରଣ ପାଇଁ ଶପଥ ପାଠ କରିଥିଲେ।ସମ୍ମାନିତ ଅତିଥି ଭାବରେ ପ୍ରକୃତିପ୍ରେମୀ ଶିକ୍ଷକ ଉଚ୍ଛବ ଭୁଏ ଯୋଗ ଦେଇ ଜଙ୍ଗଲ ନିଆଁ ଦ୍ବାରା ହେଉଥିବା ଆମର କ୍ଷୟକ୍ଷତି ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ।

ବନପାଳ ଶ୍ରୀ ସିଂ ଜଙ୍ଗଲରେ ଯେପରି ନିଆଁ ଲାଗିବ ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।ଜଙ୍ଗଲ ପରି ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବନାଗ୍ନି ନିୟନ୍ତ୍ରଣ ଅଭିଯାନରେ ସମସ୍ତେ ସାମିଲ ହୋଇ କାର୍ଯ୍ୟ କରିବା ପାଇଁ ଅତିଥିବୃନ୍ଦ ସଚେତନତାର ବାର୍ତ୍ତା ଦେଇଥିଲେ।ଗ୍ରାମବାସୀବୃନ୍ଦ ଅରଣ୍ୟ ସମ୍ପଦର ସୁରକ୍ଷା ପାଇଁ ବନାଗ୍ନି ନିରୋଧକ ଉପାୟ ବିଷୟରେ ଅବଗତ ହେବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ବନ ବିଭାଗର ଜଙ୍ଗଲ ସୁରକ୍ଷା କର୍ମଚାରୀ କିଶୋର ବାଗ,ସନତ ନାଏକ,ବେଦବର ମାଝୀ,ସ୍ଥାନୀୟ ସ୍କୁଲର ପରିଚାଳନା କମିଟିର ଅଧ୍ୟକ୍ଷ ଭୋଜରାଜ ମଲ୍ଲିକ,କେନ୍ଦୁପତ୍ର ଫଡିର ମୁନସୀ କ୍ଷୀରୋଦ୍ର ମାଝୀଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଜଡ଼ାମୁଣ୍ଡା ବିଟର ବନରକ୍ଷୀ ଫେମିନା ପାଲ ଉଦ୍ଦେଶ୍ୟ ଜ୍ଞାପନ ସହ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଗ୍ରାମର ସ୍ୱେଚ୍ଛାସେବୀ ରାମ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *