Spread the love

ଅନୁଗୋଳ ଜିଲ୍ଲା ରେ ଓଡିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ପାଣି ପଞ୍ଚାୟତ ପକ୍ଷ ୨୦୨୨-୨୩ ପାଳିତ ହୋଇଯାଇଛି । ଓଡିଶା ବିଧାନସଭା ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ୍ କୁମାର ସ୍ବାଇଁ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନିରୋଦ ଦାସ, ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଦେବାଶିଷ ମିଶ୍ର, ଅନୁଗୋଳ ଜଳସେଚନ ମଣ୍ଡଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ ଓ ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଜୀବନ ଧାରଣ ନିମନ୍ତେ ପାଣି ଓ କୃଷି ନିମନ୍ତେ ଜଳସେଚନର ଆବଶ୍ୟକତା ସମ୍ପର୍କରେ ସମସ୍ତେ ଅବଗତ ଅଟନ୍ତି ଏଣୁ ଏହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂହ ପ୍ରକାଶ କରିଥିଲେ । ତେବେ ୫ ଟି “ଜ” ଜୀବଜଗତ ବା ପ୍ରାଣୀଜଗତ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ ଯାହା ହେଉଛି ଜଳ, ଜମି, ଜଙ୍ଗଲ, ଜନ୍ତୁ ଓ ଜୀବନ । ଏଣୁ ଏହାର ସୁରକ୍ଷା ନିମନ୍ତେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଛେଣ୍ଡିପଦା ବିଧାୟକ ଶ୍ରୀ ବେହେରା ବକ୍ତବ୍ୟ ରଖିଥିଲେ । ତେବେ ଏହି କାର୍ଯ୍ୟକ୍ରମ ସହିତ ଯେହେତୁ ଚାଷୀ ମାନଙ୍କର ସିଧାସଳଖ ସମ୍ପର୍କ ରହୁଛି। ସେମାନଙ୍କ ସଂଖ୍ୟା ବହୁତ କମ ରହିଥିବା ନେଇ ବିଧାୟକ ଶ୍ରୀ ବେହେରା କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଚାଷୀ ଭାଇ ମାନଙ୍କୁ ଅଧିକରୁ ଅଧିକ ଯୋଡିବା ନେଇ ଆହ୍ବାନ ଦେଇଥିଲେ । ଜଳର ବହୁ ଉପକାରିତା, ଆବଶ୍ୟକତା ଓ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।ଜଳସେଚନର ସୁରକ୍ଷା ନିମନ୍ତେ ରାଜ୍ୟ ସ୍ତରୀୟ କମିଟି, ପ୍ରକଳ୍ପ ସ୍ତରୀୟ କମିଟି, ଡିଷ୍ଟ୍ରିବ୍ୟୁଟାରୀ କମିଟି, ପାଣି ପଞ୍ଚାୟତ ଓ ଚକ କମିଟି ମାନ ଗଠନ କରାଯାଇଛି ।ଜଳସେଚନ ବ୍ୟବସ୍ଥାର ପରିଚାଳନା ଏବଂ ଭିତ୍ତିଭୂମି ରକ୍ଷଣାବେକ୍ଷଣର ଅଂଶ ଗ୍ରହଣ, ସୁରକ୍ଷିତ ତଥା ସମାନୁପାତିକ ଭାବେ ସମସ୍ତ ଚାଷୀଙ୍କ ଜଳ ବଣ୍ଟନ, ଜଳ ବଜେଟ, ଫସଲ ଖସଡ଼ା ପ୍ରସ୍ତୁତିରେ ଚାଷୀଙ୍କର ଅଂଶଗ୍ରହଣ ଓ ମାଲିକାନା ମନୋଭାବ ସୃଷ୍ଟି କରିବା ଏବଂ ସମଗ୍ର ସେଚାଞ୍ଚଳରେ ମିତବ୍ୟୟ ଜଳ ବ୍ୟବହାର, ନାନାବିଧ ଫସଲ ଚାଷ ତଥା ପରିବେଶ ସୁରକ୍ଷା ସମ୍ପର୍କରେ ଗୁରୁତ୍ବାରୋପ କରାଯାଇଥିଲା ।

ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍

By

Leave a Reply

Your email address will not be published. Required fields are marked *