Spread the love

ତାଳଚେରର ପ୍ରଦ୍ୟୁଷଣକୁ ରୋକିବା ପାଇଁ ବାୟୋପାର୍କ ଏକମାତ୍ର ବିକଳ୍ପ


ତାଳଚେର, ୨୨/୦୨ ତାଳଚେର ରାଜ୍ୟର ଏକ ପ୍ରମୁଖ ଶିଳ୍ପାଚଂଳ ହୋଇଥିବା ବେଳେ ପ୍ରାୟ ୧୨ରୁ ଉର୍ଦ୍ଧ୍ୱ କୋଇଲା ଖଣି ଯୋଗୁଁ ଏଠାରେ ଥିବା ଜଙ୍ଗଲ ଜମିଗୁଡ଼ିକ ସମ୍ପୂର୍ଣ୍ଣଭାବେ ଉଜୁଡ଼ି ଯାଇଛି । ଫଳରେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡ଼ିକରେ ରହୁଥିବା ଜୀବଜନ୍ତୁ ଓ ପକ୍ଷୀଙ୍କର ବାସସ୍ଥଳୀ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ଉତପ୍ତ ତାଳଚେର ବାୟୁ ମଣ୍ଡଳ ଧୂଳିଧୂଆଁ ଯୋଗୁଁ ପ୍ରଦ୍ୟୁଷିତ ହୋଇପଡ଼ୁଥିବାରୁ ଅଂଚଳବାସୀ ଖୋଲାପବନ ଓ ଶୁଦ୍ଧଜଳ ଟିକେ ପାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ପ୍ରଦ୍ୟୁଷଣ ବୋର୍ଡ଼ ତାଳଚେରରେକୁ ସର୍ବଭାରତୀୟ ସ୍ତରରେ ଏକ ପ୍ରଦ୍ୟୁଷିତ ଅଂଚଳ ବୋଲି ଚିହ୍ନଟ କରିସାରିଛନ୍ତି । କିଛି ବର୍ଷ ତଳେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବାୟୋପାର୍କ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ପ୍ରକଳ୍ପ ରିର୍ପୋଟ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଆଜି ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ତେବେ ରାଣୀପାର୍କ ଠାରେ ଶହଶହ ଏକରରୁ ଉର୍ଦ୍ଧ୍ୱ ଜମି ରହିଥିବାରୁ ଏହି ବାୟୋପାର୍କ ପ୍ରତିଷ୍ଠା କରାଯିବାକୁ ପୂର୍ବରୁ ଦାବି ହୋଇଥିଲା । ଏଠାରେ ଏନଟିପିସି ପକ୍ଷରୁ ୨ଟି ବିଦ୍ୟୁତ୍ ପ୍ରକଳ୍ପ ସହ କଣିହାଁ ଡ଼େରେଙ୍ଗ ଠାରେ ମଧ୍ୟ ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି । ଖଣିରୁ ସଡ଼କ ପଥରେ କୋଇଲା ପରିବହନ ଯୋଗୁଁ ଏସବୁ କାରଣରୁ ଲୋକମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି । ଅଂଚଳକୁ ପ୍ରଦ୍ୟୁଷଣ ମୁକ୍ତ କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି । ତେବେ ବାୟୋପାର୍କ ନିର୍ମାଣ ହେଲେ ବିଭିନ୍ନ ଜୀବଜନ୍ତୁ ରହିବା ସହ ଜଙ୍ଗଲ ସୃଷ୍ଟି ହୋଇ ତାଳଚେର ପ୍ରଦ୍ୟୁଷଣ ମୁକ୍ତ ହୋଇପାରିବ ବୋଲି ପରିବେଶବିତ୍ ମାନେ ମତବ୍ୟକ୍ତ କରିଛନ୍ତି । ତେବେ ତାଳଚେରକୁ ଲାଗି ରହିଥିବା ରାଣୀପାର୍କ ଜଙ୍ଗଲକୁ ପୁନରୁଦ୍ଧାର କରାଯାଇ ସେଠାରେ ବିଭିନ୍ନ କିସମର ଚାରାରୋପଣ କରାଯିବା ସହ ଏକ ହରିଣପାର୍କ ପ୍ରତିଷ୍ଠା କରିବାପାଇଁ ଦୀର୍ଘଦିନରୁ ସରକାରୀ ସ୍ତରରେ ନିଷ୍ୱତି ହୋଇଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବନ ଓ ଜଙ୍ଗଲ ସଂରକ୍ଷଣ ପାଇଁ ବିଭିନ୍ନ ସମୟରେ ପରିବଶେ କର୍ମୀ ଏବଂ ବିଦ୍ୟାଳୟ, ମହାବିଦ୍ୟାଳୟ, ଏନସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା କରାଯାଉଛି । ଅନ୍ୟ ପକ୍ଷରେ ଏମସିଏଲ ତଥା ଜିଲ୍ଳା ପ୍ରଶାସନର ସହଯୋଗରେ ଏହି ରାଣୀପାର୍କର ନନ୍ଦନକାନନ ପ୍ରତିଷ୍ଠା କରିବା ବାଧା ସୃଷ୍ଟି ହେବ ନାହିଁ ବୋଲି ପରିବେଶବିତ୍ ମାନେ ମତପୋଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

You missed