Spread the love

ନୁଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ଅପମିଶ୍ରିତ ଘିଅ ବ୍ୟବହୃତ ହୋଇଥିବା ମାମଲାରେ ସିବିଆଇ ପକ୍ଷରୁ ଶନିବାର ନେଲୋରସ୍ଥିତ ଦୁର୍ନୀତି ନିବାରଣ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ମୋଟ ୩୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡସ୍ଥିତ ଭୋଲେବାବା ଅର୍ଗାନିକ ଡେୟାରିର ଦୁଇ ନିର୍ଦେଶକ ପୋମିଲ ଓ ବିପିନ ଜୈନ, ବୈଷ୍ଣନୀ ଡେୟାରିର ସିଇଓ ଅପୂର୍ବ ବିନୟକାନ୍ତ ଚାୱଡା, ଏଆର ଡେୟାରିର ପରିଚାଳନା ନିର୍ଦେଶକ ଆର.ରାଜଶେଖରନ ଏବଂ ଦିଲ୍ଲୀର ବ୍ୟବସାୟୀ ଅଜୟ କୁମାର ସୁଗନ୍ଧ ସାମିଲ ଅଛନ୍ତି।

ଏମାନଙ୍କ ଦ୍ବାରା ପରିଚାଳିତ କମ୍ପାନୀ ତିରୁପତି ମନ୍ଦିରକୁ ଯେଉଁ ଘିଅ ଯୋଗାଇଥିଲେ ସେଥିରେ ପାମ୍‌ ଅଏଲ, କେର୍ନଲ ଅଏଲ ଏବଂ ପଶୁ ଚର୍ବି ମିଶ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ତିରୁପତି ମନ୍ଦିରର ଏକାଧିକ ବରିଷ୍ଠ ଅଧିକାରୀ ଯଥା ପି.କେ.ମୁରଲୀକୃଷ୍ଣ, ଆର.ଏସ.ସୁବ୍ରମଣ୍ୟମ, ସି.ଆପନ୍ନା, ୱାଇ.ଭି.ସୁବାରେଡ୍ଡୀ ମଧ୍ୟ ଅଭିଯୁକ୍ତ ତାଲିକାଭୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଛି ବୋଲି ୨୦୨୪ ସେପ୍ଟେମ୍ବରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତିରୁପତି ମନ୍ଦିରକୁ ଲକ୍ଷାଧିକ ଭକ୍ତ ଦର୍ଶନ କରିବାକୁ ଆସୁଥିବାବେଳେ ପ୍ରସାଦ ଭାବେ ସେମାନଙ୍କୁ ଏହି ଲଡୁ ପ୍ରଦାନ କରାଯାଇଥାଏ। ପ୍ରଥମେ ଏହାର ତଦନ୍ତ ଦାୟିତ୍ବ ଏସଆଇଟି ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ୨୦୨୪ ଅକ୍ଟୋବରରେ ଏହି ଦାୟିତ୍ବ ସିବିଆଇ ଗ୍ରହଣ କରିଥିଲା। ଦୀର୍ଘ ୧୫ ମାସ ଧରି ସିବିଆଇ ପକ୍ଷରୁ ୧୨ଟି ରାଜ୍ୟରେ ଏହି ଘଟଣାକୁ ନେଇ ଚଢଉ କରାଯାଇଥିଲା। ତିରୁପତି ମନ୍ଦିରକୁ ୬୮ ଲକ୍ଷ କିଲୋ ଅପମିଶ୍ରିତ ଘିଅ ଯୋଗାଣ କରାଯାଇଥିବାବେଳେ ୨୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି। ଅପମିଶ୍ରିତ ଲଡୁକୁ ବିଭିନ୍ନ ପରୀକ୍ଷାଗାରକୁ ପଠାଯାଇଥିବାବେଳେ ସେଥିରେ ପଶୁଚର୍ବି ମିଶିଥିବାର ପ୍ରମାଣ ମିଳିଥିଲା।

Leave a Reply

Your email address will not be published. Required fields are marked *