Spread the love

ଦଳିତ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଗତ ମାସେ ତଳେ ସିମିଳିଆର ଜନୈକ ଦଳିତ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସଦର ଥାନା ଇଲାକା କାଙ୍କଡପାଳ ଗ୍ରାମର ଆଲୋକ ସାସମଲ ଓରଫ୍ ଚଣିଆ (୨୩) ଓ ସତ୍ୟବ୍ରତ ପଣ୍ଡା ଓରଫ୍ ପିନୁ (୨୮) । ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନାମରେ ସଦର ଥାନାରେ ପୂର୍ବରୁ ୪ଟି କେସ୍ ରହିଥିବାବେଳେ କାମାକ୍ଷାନଗର ଥାନା ଅଞ୍ଚଳରେ ସତ୍ୟବ୍ରତ ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରହିଛି । ପୂର୍ବରୁ ଏହି ମାମଲାରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ୍ ପପୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ତଥାପି ଏହି ମାମଲାରେ ଆହୁରି ୨ ଅଭିଯୁକ୍ତ ଅଜୟ ବେହେରା ଓ କବି ବେହେରାଙ୍କୁ ପୁଲିସ୍ ଏପର୍ଯ୍ୟନ୍ତ ଧରିପାରିନାହିଁ । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ସଦର ଉପଖଣ୍ଡ ପୁଲିସ୍ ଅଧିକାରୀ ବିଭୁତି ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଗତ ଜୁନ୍ ୩୦ ତାରିଖ ସଂଧ୍ୟା ୭ଟାରେ ସିମିଳିଆ ଗ୍ରାମର ସୁଶାନ୍ତ କୁମାର ମଲ୍ଲିକ ନାମକ ଜନୈକ ବ୍ୟକ୍ତିଙ୍କୁ ରଞ୍ଜା ନିକଟରେ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ୍ ପପୁ, ଅଜୟ ବେହେରା, କବି ବେହେରା, ଆଲୋକ ସାସମଲ ଓରଫ୍ ଚଣିଆ ଏବଂ ସତ୍ୟବ୍ରତ ପଣ୍ଡା ଓରଫ୍ ପିନୁ ଏକ ପାଇପ୍ ସାହାଯ୍ୟରେ ଆକ୍ରମଣ କରି ଜୀବନରେ ମାରିଦେବା ପାଇଁ ପିଟି ଚାଲିଥିଲେ । କୌଶଳକ୍ରମେ ସୁଶାନ୍ତ ସେଠାରୁ ଖସିଯାଇ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ପୁଲିସ୍ ଏହି ଘଟଣାରେ ୫୪୮/୨୦୨୩ରେ ଏକ ମାମଲା ରୁଜୁ କରିଥିଲା ।

Leave a Reply

Your email address will not be published. Required fields are marked *