*ଦଶହରା ପୂର୍ବରୁ ଦ୍ୱୈତ ନଗରୀ ରାସ୍ତା ମରାମତିର ସମୀକ୍ଷା କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ*
– ଅଧିକାଂଶ ରାସ୍ତା ମରାମତି ସରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଉପସ୍ଥିତ ବିଧାୟକ ଗଣ
– ବଳକା ରାସ୍ତା ମରାମତିକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ ପାଇଁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ
– ସବୁ ଭିଓପିର ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
– ବିନା ଅନୁମତିରେ ରାସ୍ତା ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ
– ନିର୍ମାଣ ବେଳେ ନୂଆ ଜ୍ଞାନ କୌଶଳକୁ ଆପଣାଇବାକୁ ବୈଠକରେ ଗୁରୁତ୍ବ
ଭୁବନେଶ୍ବର, ୧୪.୧୦.୨୦୨୬ – ଆଗାମୀ ଦଶହରାକୁ ଦୃଷ୍ଟିରେ ରଖି ରାସ୍ତା ମରାମତି ନେଇ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶର କେତେ ଅନୁପାଳନ ହୋଇଛି ସେଥିନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ବର ସମେତ ଆଖ ପାଖ ଅଞ୍ଚଳରେ ଖରାପ ଅବସ୍ଥାରେ ଥିବା ଅଧିକାଂଶ ରାସ୍ତା ମରାମତି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା । ଏଥିସହ ଉପସ୍ଥିତ ବିଧାୟକଗଣ ନିଜ ଅଞ୍ଚଳରେ ତ୍ଵରିତ ବେଗରେ ରାସ୍ତା ମରାମତି ହୋଇଥିବାରୁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ । ତେବେ ମରାମତି ଆବଶ୍ୟକ କରୁଥିବା ବଳକା ଯେଉଁ ଅଳ୍ପ କେତେକ ରାସ୍ତା ଅଛି ତାହାକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମୁଖ୍ୟ ଯନ୍ତ୍ରୀ ତଥା ଅଧ୍ୟକ୍ଷୀଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆଗାମୀ ଦିନରେ ନୂତନ କରି ନିର୍ମାଣ ହେବାକୁ ଥିବା ରାସ୍ତା ଗୁଡିକ ନିର୍ମାଣ ବେଳେ ରାସ୍ତା ଗୁଡିକ ଯେପରି ଦୀର୍ଘ ସ୍ଥାୟୀ ହୋଇ ପାରିବ ସେଥି ନେଇ ଆଧୁନିକ ପଦ୍ଧତିକୁ ଆପଣାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଲେ ଯେ ଏବେ ଦେଖା ଯାଉଛି ଅନେକ ଅନୁଷ୍ଠାନ ବିଭାଗର ବିନା ଅନୁମତିରେ ଭଲ ଥିବା ରାସ୍ତା ଗୁଡିକୁ ଖୋଳି ପକାଉଛନ୍ତି । ଏହିଭଳି କ୍ଷେତ୍ରରେ ଦାୟିତ୍ବରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ମାନେ ସଜାଗ ରହିବା ସହ ଉକ୍ତ ଅନୁଷ୍ଠାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ । ଏଥି ସହିତ ଜାତୀୟ ରାଜପଥ ତଳେ ଥିବା ଭିଓପି( ଭେଇକିଲ ଅଣ୍ଡର ପାସ) ଗୁଡିକର ସ୍ଥିତି ଯାଞ୍ଚ କରି ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥଲେ । ଚଳିତ ବର୍ଷ ଦୁର୍ଗାପୂଜା ପୂର୍ବରୁ ଯେପରି ଅନେକ ରାସ୍ତା ମରାମତି ହୋଇ ପାରିଲା ସେହିପରି ଆଗାମୀ ବର୍ଷ ଗୁଡିକରେ ଆହୁରି ଆଗରୁ ଅର୍ଥାତ ଗଣେଶ ପୂଜା ସୁଦ୍ଧା ସବୁ ରାସ୍ତା ମରାମତି ଶେଷ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।
ଆଜିର ବୈଠକରେ ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ନବ କିଶୋର ମଲ୍ଲିକ , ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ, ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ, କଟକ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ, କଟକ ମହାନଗର ନିଗମ କମିଶନର କିରଣଦୀପ କୌର ସାହୋତା, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ରାଜନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ(ସିଭିଲ) ଶ୍ରୀ ସତ୍ୟବ୍ରତ ବେହେରା ସମେତ ମୁଖ୍ୟଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
