Spread the love

ନନ୍ଦନକାନନରେ ଅଘଟଣ: କଲରାପତରିଆ ବାଘର ପଞ୍ଝାରେ ଜନ୍ତୁରକ୍ଷକ ଆହତ

ଭୁବନେଶ୍ୱର, ୨/୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଣେ କର୍ମଚାରୀ କଲରାପତରିଆ ବାଘର ପଞ୍ଝାରେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆହତ କର୍ମଚାରୀଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିବା ବେଳେ ପରେ ସେ ଘରକୁ ଫେରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନନ୍ଦନକାନନର କ୍ୱାରେଣ୍ଟାଇନ୍ ସେଣ୍ଟରର ୧୦ ନମ୍ବର କଲରାପତରିଆ ବାଘ ଖୁଆଡ଼ ନିକଟରେ ରଞ୍ଜିତ ବେହେରା ନାମକ ଜଣେ ଅସ୍ଥାୟୀ କର୍ମଚାରୀ କାମ କରୁଥିଲେ। କାମ କରୁଥିବା ସମୟରେ ବାଘଟି ହଠାତ୍ ଜାଲି ନିକଟକୁ ଝାମ୍ପ ମାରିଥିବା କୁହାଯାଉଛି।

ଏହି ସମୟରେ ରଞ୍ଜିତ ନିଜ ହାତ ଦେଖାଇଦେବାରୁ ବାଘର ନଖ ତାଙ୍କ ଆଙ୍ଗୁଠିରେ ବାଜିଥିବା ସୂଚନା ମିଳିଛି। ଫଳରେ ତାଙ୍କ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିଲା।

ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ଓ ବ୍ୟାଣ୍ଡେଜ୍ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ତେବେ ଘଟଣାଟି କିପରି ଘଟିଲା, କର୍ମଚାରୀଙ୍କ ସୁରକ୍ଷା ପ୍ରୋଟୋକଲ୍‌ ପାଳନ ହୋଇଥିଲା କି ନାହିଁ ଏବଂ ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ତଦନ୍ତ ହେଉଛି କି ନାହିଁ, ସେନେଇ ଅଧିକ ସ୍ପଷ୍ଟତା ଆସିବା ବାକି ରହିଛି।

Leave a Reply

Your email address will not be published. Required fields are marked *