Spread the love

ଭୂବନେଶ୍ୱର, ୨୩/୧୧ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦୁଝରର ଫାଷ୍ଟଟ୍ରାକ କୋର୍ଟ । ଅଭିଯୁକ୍ତ ଜଣକ ହେଲେ ସଦର ଥାନା କସିରା ଗ୍ରାମର ବିଦେଶିଆ ପ୍ରଧାନ(୨୨) ।ବିଦେଶିଆ ପ୍ରଧାନ ଜଣେ ୧୫ବର୍ଷର ନାବାଳିକାକୁ ଅପହରଣ ପରେ ବିବାହ କରି ଦୁଷ୍କର୍ମ କରିଆସୁଥିବା ନେଇ ଚାଇଲ୍ଡଲାଇନ ଟିମ୍‌ ଲିଡର ସୁକାନ୍ତି ପାତ୍ର ଜାଣିବାକୁ ପାଇଥିଲେ ।

ଏହା ପରେ ସେ ମେ’ ୩୧ ତାରିଖ ୨୦୨୦ ମସିହାରେ ସମ୍ପୃକ୍ତ ନାବାଳିକାକୁ ପ୍ରଥମେ ଉଦ୍ଧାର କରି ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଅଭିଯୁକ୍ତ ବିଦେଶିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାରେ ମୋଟ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ବିଦେଶିଆକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ ନିମନ୍ତେ ମଧ୍ୟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପି.ପି ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *