Spread the love

ନେପାଳର ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ବିହାରରେ; ଗଣ୍ଡକ ନଦୀରୁ ମିଳିଲା ୧୭ ମୃତଦେହ

ପାଟନା: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ ପରେ ଏହାର ପ୍ରଭାବ ଏବେ ବିହାର ଓ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ନେପାଳରୁ ପ୍ରବଳ ବେଗରେ ଆସିଥିବା ବନ୍ୟାଜଳ ସହ ମଣିଷ ଓ ପଶୁଙ୍କ ମୃତଦେହ, କାଠ ଏବଂ ବିଭିନ୍ନ ଘରୋଇ ସାମଗ୍ରୀ ଭାସି ଭାରତରେ ପହଞ୍ଚୁଥିବା ଖବର ସାମ୍ନାକୁ ଆସିଛି।

ବିହାରର ସୋନପୁର ଅଞ୍ଚଳରେ ଗଣ୍ଡକ ନଦୀରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଏନେଇ ପ୍ରଶାସନକୁ ସୂଚନା ଦେଇଥିଲେ। ଏହାପରେ ଉଦ୍ଧାରକାରୀ ଦଳ ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ସୂଚନା ଅନୁସାରେ, ଗଣ୍ଡକ ନଦୀରୁ ବିହାର ଓ ଉତ୍ତରପ୍ରଦେଶ ଅଞ୍ଚଳରେ ଏପର୍ଯ୍ୟନ୍ତ ୧୭ଟି ମୃତଦେହ ଉଦ୍ଧାର କରାଯାଇଛି।

ସେହିପରି ବାଲ୍ମିକୀନଗର ବ୍ୟାରେଜ୍ ନିକଟରୁ ମଧ୍ୟ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ନଦୀର ପ୍ରବଳ ସ୍ରୋତରେ ମୃତଦେହ ସହ ବହୁ ପରିମାଣରେ କାଠ, ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଭାସି ଆସୁଥିବାରୁ ନଦୀକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି।

ନେପାଳରେ ବନ୍ୟା ପରିସ୍ଥିତି ପରେ ଗଣ୍ଡକ ନଦୀର ଜଳସ୍ତର ଓ ପ୍ରବାହ ଉପରେ ନଜର ରଖାଯାଉଛି। ଉଦ୍ଧାରକାରୀ ଟିମ୍ ନଦୀର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଥିବା ବେଳେ ମୃତଦେହଗୁଡ଼ିକ କେଉଁ ଅଞ୍ଚଳରୁ ଭାସି ଆସିଛି, ତାହା ନେଇ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *