Spread the love

ପଦ୍ମପୁର ଉପଜ଼ିଲ୍ଲାପାଳଙ୍କ ଅଫିସରେ ଚାଷୀଙ୍କ ଧାରଣା, ଉପଜିଲ୍ଲାପାଳଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର, ଦାବୀ ପୂରଣ ନ ହେଲେ ୨୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ପାଇଁ ଚାଷୀଙ୍କ ଚେତାବନୀ

ବରଗଡ:୧୫/୧୨(ପବିତ୍ର ମେହେର) ଅଣ ଜଳସେଚିତ ଅଂଚଳରେ ଧାନ ଅମଳ ସଅଳ ହୋଇଥାଏ ଏଣୁ ଏହି ଅଂଚଳରେ ଚାଷୀ ମାନେ ଶୀଘ୍ର ଧାନ ବିକ୍ରି କରିଥାନ୍ତି। ମଣ୍ଡି ମଧ୍ୟ ଆଗତୁରା ଖୋଲିଥାଏ। ହେଲେ ଚଳିତ ଖରିଫ ଋତୁରେ ଚାଷଟା ସତେ ଯେମିତି ଅଭିଶାପ ପାଲଟିଯାଇଛି। ଅକଟୋବର ମାସରୁ ଧାନ ଅମଳ ହୋଇ ଖୋଲା ଆକାଶ ତଳେ ପଡ଼ିରହିଛି। ଚାଷୀ ଧାନକୁ ଜଗିରହିଛି କାରଣ ତାର ଟୋକନ ଆଜିସୁଦ୍ଧା ଆସିନାହିଁ। ଯେଉଁମାନଙ୍କ ଟୋକନ ଆସିଛି ଏବଂ ମଣ୍ଡିରେ ଧାନ ପକାଇଛନ୍ତି ସେମାନଙ୍କର ଧାନ ଉଠୁନାହିଁ। ଧାନ ବିକ୍ରି କରି ପଇସା ପାଇଲେ କୁଲି ମଜୁରୀ, ଟ୍ରାକଟର ଭଡା, ସାର, ବିହନ, ହାତ ଉଧାରୀ ଶୁଝିବାକୁ ପଡ଼ିବ।କିନ୍ତୁ ସରକାର ପ୍ରଶାସନ ନିଦାବିଷ୍ଣୁ ଥିବାରୁ ଧାନ କିଣାବିକାର ଗୋଲକଧନ୍ଦାରେ ଚାଷୀ ସନ୍ଦିହାନ ହୋଇ ଧୈର୍ଯ୍ୟର ସୀମା ଅତିକ୍ରମ କରି ମଣ୍ଡି ବଦଳରେ ପ୍ରଶାସନିକ ଅଧିକାରୀ ପାଖକୁ ଦୌଡୁଛି। ଆନ୍ଦୋଳନ ମୁହାଁ ଚାଷୀ ଆଜି ପଦ୍ମପୁର ଉପଜ଼ିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ ହେଲେ ପ୍ରଶାସନ ପୋଲିସ ଲଗାଇ ପଦ୍ମପୁର ସହରକୁ ଚାରିପଟୁ ଘେରାବନ୍ଦୀ କରି ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରୁଥିଲେ ଯେପରି ଗୋଟିଏ ବସ୍ତା ଧାନ ମଧ୍ୟ ସହରକୁ ପଶିବ ନାହିଁ। ଯେଉଁ ଚାଷୀମାନେ ଧାନ ଧରି ଆସୁଥିଲେ ସେମାନଙ୍କୁ ଅଟକାଇ ଦେଉଥିଲେ।ଧାନ ବୋଝେଇ ଗାଡି,ମୋଟର ସାଇକେଲ ଆଦିକୁ ଫେରାଇ ଦେଉଥିଲେ।ଶେଷରେ ଚାଷୀମାନେ ଖାଲି ହାତରେ ଆସି ଉପଜ଼ିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ।ଧାରଣା ଚାଲିଥିବା ସମୟରେ ଉପଜ଼ିଲ୍ଲାପାଳ ସ୍ନେହା ଆରୁଗୁଳା ଧାରଣା ସ୍ଥଳକୁ ଆସି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଇବା ସହିତ ସମସ୍ତ ଚାଷୀଙ୍କ ଟୋକନ ଜାରି କରାଯାଉ ବୋଲି ଚାଷୀମାନଙ୍କ ଦାବୀ ରହିଥିଲା।ମଣ୍ଡିରେ ମିଲ ଏଜେଣ୍ଟମାନେ ଚାଷୀଙ୍କ ଧାନର ମାନ ନିର୍ଣ୍ଣୟ କରି ୩ରୁ ୪କେଜି କଟଣି ଦେବାକୁ ବାଧ୍ୟ କରୁଛନ୍ତି ଓ ଏହାକୁ ଚାଷୀ ମାନେ ପ୍ରତିବାଦ କରି ଆର ଏମ ସି କିମ୍ବା ସୋସାଇଟି କର୍ମଚାରୀ ମାନ ନିର୍ଣ୍ଣୟ କରନ୍ତୁ ଏବଂ ମିଲର ମାନେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଚଳିତ ବର୍ଷ ବହୁତ ଚାଷୀଙ୍କ ଜମି ତୁଳନାରେ ଅତି କମ ଟୋକନ ଆସୁଥିବାରୁ ଉପଜ଼ିଲ୍ଲାପାଳଙ୍କ ଅଫିସରେ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ଓ କିପରି ଠିକ ମାତ୍ରାରେ ଟୋକନ ଆସିବ ତାହାର ବ୍ୟବସ୍ଥା କରାଯିବାକୁ ଦାବୀ କରିଥିଲେ। ସରକାର ବିଧାୟକ ମାନଙ୍କ ଦରମା 3ଗୁଣା ବୃଦ୍ଧିକରିପାରିଲେ ଅଥଚ ଚାଷୀଙ୍କୁ ବର୍ଦ୍ଧିତ 69ଟଙ୍କା ଦେବାକୁ କୁଣ୍ଠାବୋଧ କରୁଛନ୍ତି ଏଣୁ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୬୯ଟଙ୍କା ତୁରନ୍ତ ଦିଆଯାଉ ନଚେତ ବିଧାୟକ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଲିଖିତ ଦାବୀକୁ ରାଜ୍ୟସରକାରଙ୍କ ନିକଟକୁ ପହଞ୍ଚାଇବାକୁ ଦାବୀ କରିଥିଲେ। ଉପଜ଼ିଲ୍ଲାପାଳ ସମସ୍ତ ଦାବୀର ଆଲୋଚନା କରି ଆସନ୍ତା ୨0 ତାରିଖ ଭିତରେ ଟୋକନ୍ ପାଇବାରୁ ବଞ୍ଚିତ ସମସ୍ତ ଚାଷୀଙ୍କ ଟୋକନ ଆସିବ ଓ ଟାର୍ଗେଟ ବୃଦ୍ଧିକରି ଶୀଘ୍ର ଧାନ ଲିଫଟିଙ୍ଗ ହେବ ଓ ମିଲରମାନଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଆଲୋଚନା ପରେ ଚାଷୀମାନେ ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଦାବୀ ପୂରଣ ନ ହେଲେ ୨୧ ତାରିଖ ସରକାରୀ କାର୍ଯ୍ୟାଳୟ,ରାସ୍ତାଘାଟ, ସ୍କୁଲ କଲେଜ, ବ୍ୟାଙ୍କ ସବୁ ଅଚଳ କରାଯିବ ବୋଲି ସଭାସ୍ଥଳରେ ଘୋଷଣା କରିଥିଲେ। ଆଲୋଚନାରେ ରାଜବୋରାସମ୍ବର କୃଷକ ସଂଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥି, ଆବାହକ ଅଶୋକ ସାହୁ, ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର ଭାଗ ନେଇଥିବା ବେଳେ ଧାରଣା ସ୍ଥଳରେ ପଦ୍ମପୁର ବ୍ଲକ ସଭାପତି ପଞ୍ଚାନନ ସାହୁ, ଉପ ସଭାପତି ସୁବାଷ ସାମନ୍ତରାୟ, ଗାଇସିଲେଟ ସଂଗଠନ ସଭାପତି ଅରବିନ୍ଦ ପଣ୍ଡା,ସରୋଜ ସାହୁ, ପାଇକମାଳ ବ୍ଲକରୁ ଅରକ୍ଷିତ ପଧାନ, ପଦ୍ମପୁର ଏନ ଏ ସି ରୁ କାହ୍ନୁଚରଣ ମେହେର, ରୁକ୍ମନ ବରିହା,ଜଳେଶ ରଣା, ନିରାକାର ସାହୁ,ବିଜୟ ସାହୁ,କେନ୍ଦୁମୁଣ୍ଡା ଗୌନ୍ତିଆ,ରୋହିତ ପ୍ରଧାନ, ଅଶୋକ ଦାନୀଙ୍କ ସମେତ ଝାରବନ୍ଧ ବ୍ଲକରୁ ଜୟପତି ଭୋଇ, ଚିତ୍ତରଞ୍ଜନ ପଟେଲଙ୍କ ସମେତ ଶହ ଶହ ଚାଷୀ ଉପସ୍ଥିତ ଥିଲେ.।

Leave a Reply

Your email address will not be published. Required fields are marked *