Spread the love

### ପିଏମ୍‌ଏୱାଇ ଘର ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ମାଗି ଧରାପଡ଼ିଲେ NAC କର୍ମଚାରୀ, ୭ ହଜାର ଟଙ୍କା ଜବତ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ଘର ନିର୍ମାଣ ପାଇଁ ବାକି ଅର୍ଥ ମଞ୍ଜୁର କରାଇଦେବାକୁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନାଗଡ଼ ଏନ୍‌ଏସିର ଜଣେ କର୍ମଚାରୀ। ଅଭିଯୁକ୍ତ ହେଉଛନ୍ତି ଜୁନାଗଡ଼ ଏନ୍‌ଏସିର ମ୍ୟାନେଜମେଣ୍ଟ ଇନଫର୍ମେସନ୍ ସିଷ୍ଟମ୍ (MIS) ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାସ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୧ ଲକ୍ଷ ୬୦ ହଜାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଥିବା ବେଳେ ଅବଶିଷ୍ଟ ୪୦ ହଜାର ଟଙ୍କା ମିଳିବା ବାକି ରହିଥିଲା।

ଏହି ବକେୟା ଟଙ୍କା ମଞ୍ଜୁର କରାଇଦେବା ପାଇଁ ଅଭିଯୁକ୍ତ ପ୍ରଦ୍ୟୁମ୍ନ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏପରିକି ଲାଞ୍ଚ ନଦେଲେ ବାକି ଟଙ୍କା ମୁକ୍ତ କରିବା ପ୍ରକ୍ରିୟା ଆଗକୁ ବଢ଼ାଇବେ ନାହିଁ ବୋଲି ଧମକ ଦେଇଥିବା ମଧ୍ୟ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।

ଏହାପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା। ଶନିବାର (୨୧ ନଭେମ୍ବର ୨୦୨୬) ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାସ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କାର ସମ୍ପୂର୍ଣ୍ଣ ପରିମାଣ ଜବତ କରାଯାଇଛି।

ଏହି ଚଢ଼ାଉ ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଜାରି ରହିଛି।

ଏହି ଘଟଣାରେ ଭିଜିଲାନ୍ସ ଥାନାରେ କେସ୍ ନଂ ୨୮/୨୦୨୬ ରୁଜୁ ହୋଇଥିବାବେଳେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

JAGRAT BHARAT NEWS | Kalahandi

Leave a Reply

Your email address will not be published. Required fields are marked *