### ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬: ଦ୍ରୁତ ଅଗ୍ରଗତି ବର୍ଗରେ ଓଡ଼ିଶାକୁ ତୃତୀୟ ସ୍ଥାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧ ନଭେମ୍ବର: ପିଏମ୍ ସ୍ୱନିଧି ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ର ‘ଶ୍ରେଷ୍ଠ ପ୍ରଦର୍ଶନ-ଦ୍ରୁତ ଅଗ୍ରଗତି’ (Best Performing – Fastest Mover) ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି।
ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ସିଂହ ପୁରସ୍କାର ଗ୍ରହଣ କରିଥିଲେ। ‘ଷ୍ଟ୍ରିଟ୍ ଭେଣ୍ଡର୍ସ ଟୁ ଷ୍ଟ୍ରିଟ୍ ୱଣ୍ଡର୍ସ’ (ରାସ୍ତାକଡ଼ ବ୍ୟବସାୟୀରୁ ଅଦ୍ଭୁତ ସଫଳତାର ଅଧିକାରୀ) ବିଷୟବସ୍ତୁକୁ ନେଇ ଏହି ସମାରୋହ ଆୟୋଜିତ ହୋଇଥିଲା।
୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ ଆଧାରରେ ଏହି ସ୍ୱୀକୃତି ମିଳିଛି। ବିନା ବନ୍ଧକରେ ଉଠାଦୋକାନୀଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ, ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଏବଂ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତିକୁ ଏହି ପୁରସ୍କାର ସ୍ୱୀକୃତି ଦେଇଛି।
କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଉଠାଦୋକାନୀଙ୍କ ଉଦ୍ୟୋଗୀ ମନୋଭାବ ଓ ସଂଘର୍ଷପୂର୍ଣ୍ଣ ଜୀବନଯାତ୍ରାକୁ ପ୍ରଶଂସା କରି ସେମାନଙ୍କୁ ‘ଷ୍ଟ୍ରିଟ୍ ୱଣ୍ଡର୍ସ’ ବୋଲି ଅଭିହିତ କରିଥିଲେ। ଅନ୍ତ୍ୟୋଦୟର ଲକ୍ଷ୍ୟ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ପିଏମ୍ ସ୍ୱନିଧି ଯୋଜନାର ଲାଭ ପ୍ରତ୍ୟେକ ଯୋଗ୍ୟ ଉଠାଦୋକାନୀଙ୍କ ପାଖରେ ପହଞ୍ଚିବ। ଏହି ଯୋଜନାର ସଫଳତା ପାଇଁ କେନ୍ଦ୍ର, ରାଜ୍ୟ, ବ୍ୟାଙ୍କ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ମିଳିତ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।
ଏହି ସଫଳତା ଉପରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ଜାତୀୟ ସମ୍ମାନ ଓଡ଼ିଶାର ଉଠାଦୋକାନୀମାନଙ୍କ ପାଇଁ ଉତ୍ସର୍ଗୀକୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ବ୍ୟାଙ୍କ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁଁ ଉଠାଦୋକାନୀମାନଙ୍କୁ ଔପଚାରିକ ଋଣ ବ୍ୟବସ୍ଥା ଏବଂ ଡିଜିଟାଲ୍ ଅର୍ଥନୀତି ସହ ଯୋଡ଼ିବା ସମ୍ଭବ ହୋଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଯୋଗ୍ୟ ଉଠାଦୋକାନୀଙ୍କୁ ଏହି ଯୋଜନାର ସୁବିଧା ପହଞ୍ଚାଇବାକୁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।
ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଏହି ପୁରସ୍କାର ‘ଟିମ୍ ଅର୍ବାନ ଓଡ଼ିଶା’ର କ୍ଷେତ୍ରସ୍ତରୀୟ କାର୍ଯ୍ୟର ସ୍ୱୀକୃତି। ପୌରପାଳିକା ଓ ବ୍ୟାଙ୍କଗୁଡ଼ିକର ସମନ୍ୱୟରେ ଉଠାଦୋକାନୀଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପାଇଁ ଆବେଦନ, ଡିଜିଟାଲ୍ ପେମେଣ୍ଟ୍ ଗ୍ରହଣ ଏବଂ ପରିବାରକୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବାରେ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ଉଠାଦୋକାନୀମାନେ ଯେପରି ଆତ୍ମବିଶ୍ୱାସର ସହ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇପାରିବେ, ସେଥିପାଇଁ ଆବଶ୍ୟକ ସହାୟତା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।
୨୦୨୦ ଜୁନ୍ ୧ ତାରିଖରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୮୧ ଲକ୍ଷ ଉଠାଦୋକାନୀ ୧.୨୧ କୋଟିରୁ ଅଧିକ ଋଣ ହାସଲ କରିଛନ୍ତି। ଏହି ଋଣର ମୋଟ ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା। ଯୋଜନାର ପୁନର୍ଗଠନ ପରେ ପ୍ରଥମ ବର୍ଷରେ ପ୍ରାୟ ୨୨ ଲକ୍ଷ ଋଣ ବାବଦରେ ୬,୨୯୪ କୋଟି ଟଙ୍କା ବଣ୍ଟନ କରାଯାଇଛି। ଏଥିରେ ୧୦.୬ ଲକ୍ଷ ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି।
ଏହାବ୍ୟତୀତ ଯୋଗ୍ୟ ଉଠାଦୋକାନୀମାନେ ଏବେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସୀମା ଥିବା UPI ସଂଯୁକ୍ତ RuPay କ୍ରେଡିଟ୍ କାର୍ଡ ପାଇବାର ସୁଯୋଗ ମଧ୍ୟ ପାଇପାରିବେ।
୨୦୨୬ର ଏହି ପୁରସ୍କାର ସମାରୋହରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଋଣ ପ୍ରଦାନକାରୀ ଅନୁଷ୍ଠାନ ଏବଂ ସହଯୋଗୀ ସଂଗଠନଗୁଡ଼ିକୁ ମୋଟ ୫୨ଟି ପୁରସ୍କାର ଓ ୫ଟି ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରାଯାଇଛି।
