Spread the love

ବନ୍ୟା ପୀଡ଼ିତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା: ଭାଙ୍ଗିଥିବା ଘରକୁ ୧.୨୦ ଲକ୍ଷ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର, ୩ ଅଗଷ୍ଟ: ରାଜ୍ୟରେ ସମ୍ପ୍ରତି ଘଟିଥିବା ବନ୍ୟାରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାର ବଡ଼ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସୋମବାରଠାରୁ ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ସର୍ଭେ ଆରମ୍ଭ କରିଥିବାବେଳେ, କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟା ମଧ୍ୟ ସମାନ୍ତରାଳ ଭାବେ ଚାଲିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ସରକାରଙ୍କ ଘୋଷଣା ଅନୁସାରେ, ବନ୍ୟାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା, ଜୀବନ ହାନି ଘଟିଥିଲେ ୪ ଲକ୍ଷ ଟଙ୍କା, ପକ୍କା ଘର ଆଂଶିକ କ୍ଷତିଗ୍ରସ୍ତ ହେଲେ ୬,୫୦୦ ଟଙ୍କା, କଚ୍ଚା ଘର ପାଇଁ ୪ ହଜାର ଟଙ୍କା ଏବଂ କୁଡ଼ିଆ ଘର ଭାଙ୍ଗିଥିଲେ ୮ ହଜାର ଟଙ୍କା ସହାୟତା ମିଳିବ। ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ।

କୃଷି କ୍ଷେତ୍ରରେ ମଧ୍ୟ କ୍ଷତିପୂରଣ ଘୋଷଣା କରାଯାଇଛି। ଖାଲୁଆ ଜମିରେ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା ଏବଂ ଦୀର୍ଘସ୍ଥାୟୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ। ସେହିପରି ପଶୁଧନ କ୍ଷତି ପାଇଁ ଗାଈ ବାବଦରେ ୩୭,୫୦୦ ଟଙ୍କା, ବଳଦ କିମ୍ବା ମହିଷ ପାଇଁ ୩୨ ହଜାର ଟଙ୍କା, ବାଛୁରୀ ପାଇଁ ୨୦ ହଜାର ଟଙ୍କା ଏବଂ ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ କ୍ଷୟକ୍ଷତିର ଆକଳନ ୪୨.୮୦ କୋଟି ଟଙ୍କା ହୋଇଥିବାବେଳେ, ଜିଲ୍ଲାପାଳମାନଙ୍କୁ ୩୬.୯୮ କୋଟି ଟଙ୍କା ପଠାଯାଇଛି। ଏହାଛଡ଼ା ଅତିରିକ୍ତ ୧୧୦ କୋଟି ଟଙ୍କା ମଧ୍ୟ ରାଜ୍ୟ ସରକାର ମୁକ୍ତ କରିବେ। ପଶୁଧନ କ୍ଷତିପୂରଣ ପାଇଁ ୧୨.୮୮ କୋଟି ଟଙ୍କା ଏବଂ ରିଲିଫ୍ କ୍ୟାମ୍ପ ପରିଚାଳନା ପାଇଁ ୨୬ କୋଟି ଟଙ୍କା ବ୍ୟୟ କରାଯାଇଛି।

ଚଳିତ ବନ୍ୟାରେ ରାଜ୍ୟର ୨୨ଟି ଜିଲ୍ଲା, ୮୫ଟି ବ୍ଲକ, ୧୫ଟି ସହରାଞ୍ଚଳ, ୬୫୬ଟି ପଞ୍ଚାୟତ୧,୪୫୮ଟି ଗାଁ ପ୍ରଭାବିତ ହୋଇଛି। ମୋଟ ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଥିବାବେଳେ ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଭାବିତଙ୍କ ପାଇଁ ୫୨୯ଟି ରିଲିଫ୍ କ୍ୟାମ୍ପ ପରିଚାଳନା କରାଯାଇଥିଲା।

Leave a Reply

Your email address will not be published. Required fields are marked *