Spread the love

ବନ୍ୟା ମୁକାବିଲା ପାଇଁ କେନ୍ଦ୍ରର ବଡ଼ ସହାୟତା; ଓଡ଼ିଶାକୁ ୫୦୦ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, ୨ ଅଗଷ୍ଟ: ମୌସୁମୀ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମୋଟ ୨,୧୧୭.୮୫ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଅନୁମୋଦନ କରାଯାଇଛି।

ଏହି ଅର୍ଥ ରାଜ୍ୟଗୁଡ଼ିକର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF) ପାଇଁ କେନ୍ଦ୍ରୀୟ ଅଂଶ ଭାବେ ପ୍ରଦାନ କରାଯିବ। ଏଥିରେ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଦ୍ୱିତୀୟ କିସ୍ତି ଅନୁମୋଦନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡକୁ ମଧ୍ୟ ଦ୍ୱିତୀୟ କିସ୍ତିର ସହାୟତା ମଞ୍ଜୁର କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି, ଚଳିତ ମୌସୁମୀ ଋତୁ ଆରମ୍ଭରୁ ହିଁ ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟ ରଖି ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଆବଶ୍ୟକ ସ୍ଥାନରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (NDRF) ମୁତୟନ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଲଜିଷ୍ଟିକ୍ ସହାୟତା ଯୋଗାଇ ଦିଆଯାଇଛି।

କ୍ଷୟକ୍ଷତିର ଆକଳନ ପାଇଁ ଅରୁଣାଚଳ ପ୍ରଦେଶ ଓ ଆସାମକୁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (IMCT) ଗସ୍ତ କରିଥିବା ବେଳେ ଆସାମ ପାଇଁ ଦୁଇଟି ଏବଂ ନାଗାଲାଣ୍ଡ ପାଇଁ ଗୋଟିଏ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଛି।

ସେହିପରି ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ ଓ ମହାରାଷ୍ଟ୍ରକୁ ଏସ୍‌ଡିଆର୍‌ଏଫ୍‌ର ପ୍ରଥମ କିସ୍ତି ଅଗ୍ରୀମ ଭାବେ ମଞ୍ଜୁର କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି, ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆର୍ଥିକ ସହାୟତା ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ।

Leave a Reply

Your email address will not be published. Required fields are marked *