Spread the love

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା । ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ ଏହା ହଇଚଇ ସୃଷ୍ଟି କରିଥିଲା । ତେବେ ଆଜି ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଶେଷରେ ନିଜର ଭୁଲର ପ୍ରାୟଶ୍ଚିତ କରିଛନ୍ତି ।ଏହି ମନ୍ତବ୍ୟକୁ ରାଜନେତା ମାନଙ୍କଠୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ପ୍ରବଳ ମାତ୍ରାରେ ବିରୋଧ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଭୁଲ୍ ସ୍ୱୀକାର କରିଛନ୍ତି ଦୁବେ ।

ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୁମ୍ବି ତୁଫାନ ଦେଖିବାକୁ ମିଳିଥିଲା | ଏହାକୁ ବିଦ୍ଧିଙ୍କ ସମେତ ଓଡ଼ିଶା ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ଓଡ଼ିଶାର ଅସ୍ମିତା ଏବଂ ବିଜୁ ବାବୁଙ୍କ ସମ୍ମାନକୁ ନେଇ ରାଜ୍ୟ ସାରା ବିରୋଧ କରାଯାଇଥିଲା । ବିଜେପି ପାଇଁ ଏହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଦଳର ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଦୁବେ କ୍ଷମା ମାଗିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।

ନିଜ ଭୁଲର ସ୍ୱୀକାର କରି ଦୁବେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,”ସେ ନେହେରୁ-ଗାନ୍ଧୀ ପରିବାରର କାର୍ଯ୍ୟକଳାପ ବିଷୟରେ କହୁଥିଲେ । ମାତ୍ର ତାଙ୍କ କଥାକୁ ଭୁଲ ଅର୍ଥରେ ନିଆଗଲା ଏବଂ ବିଜୁ ବାବୁଙ୍କ ସହ ଯୋଡ଼ାଗଲା ।” ସେ ଆହୁରି ମଧ୍ୟ କହିଛନ୍ତିଯେ, ବିଜୁ ବାବୁ ଭାରତର ଜଣେ ଆଗ ଧାଡ଼ିର ନେତା ଏବଂ ଜଣେ ପ୍ରକୃତ ରାଷ୍ଟ୍ରନାୟକ ଭାବେ ସେ ତାଙ୍କୁ ସବୁବେଳେ ସମ୍ମାନ କରନ୍ତି । ବିଜୁ ବାବୁଙ୍କ ସମ୍ମାନ ଓଡ଼ିଶା ପାଇଁ ସର୍ବୋପରି । କାରଣ ବିଜୁ ପଟ୍ଟନାୟକ କେବଳ ଜଣେ ନେତା ନୁହନ୍ତି ସେ ଓଡ଼ିଶାର ଭାବନା । ତାଙ୍କ ବିରୋଧରେ କୌଣସି ବି ମନ୍ତବ୍ୟକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ । ନିଶିକାନ୍ତ ଦୁବେଙ୍କ କ୍ଷମା ପ୍ରାର୍ଥନା ପ୍ରମାଣ କରୁଛି ଯେ, ଓଡ଼ିଶାର ସ୍ୱର ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି । ଆଉ ତାଙ୍କର ଏହି କ୍ଷମା ପ୍ରାର୍ଥନା ସହିତ ଆରମ୍ଭ ହୋଇଥିବା ବିବାଦର ଅନ୍ତ ହେବା ନେଇ ଆଲୋଚାନା ହେଉଛି ।

Leave a Reply

Your email address will not be published. Required fields are marked *