ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ
ଅନୁଗୋଳ, ତା.୩୦.୦୯ :- ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଗୃହଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଚେତନତା ବୈଠକରେ କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ଯୋଗୁଁ ଯୁବ ପିଢ଼ି ଭୁଲ୍ ନିଷ୍ପତ୍ତି ନ ନେଇ ସୁନ୍ଦର ଜୀବନ ଗଢ଼ିବାକୁ ସେ ପରାମର୍ଶ ଦେଇଥିଲେ। ମନସ୍ତତ୍ତ୍ୱବିତ୍ ଡ. ରଶ୍ମିତା ଭଞ୍ଜଦେଓ ମାନସିକ ରୋଗର ଲକ୍ଷଣ, ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କରେ ବୁଝାଇଥିଲେ। ସେହିଭଳି ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ. ଧନଞ୍ଜୟ ବେହେରା ବିଫଳତା ହିଁ ସଫଳତାର ମୂଳ ଚାବିକାଠି ବୋଲି କହିଥିଲେ। ସମାଜରୁ ଅନ୍ଧବିଶ୍ୱାସ ଦୂର କରି ସରକାରଙ୍କ ଦ୍ୱାରା ଉପଲବ୍ଧ ମାଗଣା ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଏହି ବୈଠକରେ ମାନସିକ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାଙ୍କ ସହ ସେବା କଲେଜ ଅଫ୍ ନର୍ସିଂ ଓ ଦିବ୍ୟ କଲେଜ ଅଫ୍ ନର୍ସିଂର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପ୍ରଧାନ ସଂଯୋଜନା କରିଥିଲେ।
