Close up of male hands in bracelets behind back
Spread the love

ଲାଞ୍ଚ ମାମଲାରେ ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କୁ ୩ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

ଅନୁଗୋଳ, ୩୦/୦୯: ଲାଞ୍ଚ ନେବା ମାମଲାରେ କଣିହାର ପୂର୍ବତନ ରାଜସ୍ୱ ନିରୀକ୍ଷକ (RI) ହାଡିବନ୍ଧୁ ପଟ୍ଟନାୟକଙ୍କୁ ଦଣ୍ଡିତ କରିଛନ୍ତି ଅନୁଗୋଳ ଭିଜିଲାନ୍ସ ଅଦାଲତ। ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି।

ଭିଜିଲାନ୍ସ ସୂଚନା ଅନୁସାରେ, ହାଡିବନ୍ଧୁ ପଟ୍ଟନାୟକ କଣିହା ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବା ସମୟରେ ଜମି ମ୍ୟୁଟେସନ୍‌ ମାମଲାରେ ଆବେଦନକାରୀଙ୍କ ସପକ୍ଷରେ ରିପୋର୍ଟ ପ୍ରଦାନ କରିବା ପାଇଁ ଲାଞ୍ଚ ଦାବି ଓ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(ଡି)/୭ ଅନୁସାରେ ମାମଲା ରୁଜୁ କରାଯାଇ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ମାମଲାର ଶୁଣାଣି ପରେ ଅନୁଗୋଳର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ହାଡିବନ୍ଧୁ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।

ପେନ୍‌ସନ୍‌ ଉପରେ ମଧ୍ୟ ପଡ଼ିପାରେ ପ୍ରଭାବ

ଦୋଷୀ ସାବ୍ୟସ୍ତ ହୋଇଥିବାରୁ ହାଡିବନ୍ଧୁ ପଟ୍ଟନାୟକଙ୍କ ପେନ୍‌ସନ୍‌ ବନ୍ଦ କରିବା ନେଇ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଭିଜିଲାନ୍ସ ପକ୍ଷରୁ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି।

ଦୁର୍ନୀତି ବିରୋଧୀ ଅଭିଯାନରେ ଭିଜିଲାନ୍ସର ଆଉ ଏକ ବଡ଼ ସଫଳତା ଭାବେ ଏହି ରାୟକୁ ଦେଖାଯାଉଛି।

Leave a Reply

Your email address will not be published. Required fields are marked *