Spread the love

ମହାକାଶ କ୍ଷେତ୍ରରେ ଓଡ଼ିଶାର ନୂଆ ପଦକ୍ଷେପ: ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପାଇଁ କେନ୍ଦ୍ର ସହ ଆଲୋଚନା

ଭୁବନେଶ୍ୱର: ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍‌ସାକ୍‌)ରେ ଆୟୋଜିତ ଜାତୀୟ ମହାକାଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବୈଜ୍ଞାନିକ ଗବେଷଣା ସହ ଯୁବପିଢ଼ିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଜିଜ୍ଞାସା ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।

ମହାକାଶ ପ୍ରଯୁକ୍ତିର ବ୍ୟବହାର ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଓର୍‌ସାକ୍‌ ମାଧ୍ୟମରେ ଚାଷଜମି, ଭୂତଳ ଜଳ ଓ ଖଣିଜ ସମ୍ପଦ ସମ୍ପର୍କିତ ବିଭିନ୍ନ ତଥ୍ୟ ହାସଲ କରାଯାଉଛି। ଏହା ଫଳରେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ରାଜସ୍ୱ ସଞ୍ଚୟ ମଧ୍ୟ ସମ୍ଭବ ହେଉଛି ବୋଲି ମନ୍ତ୍ରୀ କହିଥିଲେ।

ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକ ନିର୍ମାଣ କରୁଥିବା ଡ୍ରୋନ୍‌ ଭଳି ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ହେଉଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଓଡ଼ିଶାର ବୈଜ୍ଞାନିକ ଓ ଯୁବପିଢ଼ି ଏହି କ୍ଷେତ୍ରରେ ନୂଆ ସଫଳତା ହାସଲ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ରାଜ୍ୟରେ ବିଜ୍ଞାନ ଭବନ, ଓର୍‌ସାକ୍‌ର ନୂତନ କୋଠା ଏବଂ ଜିଆଇଏସ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ କହିଥିଲେ ଯେ, ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗିର ଓ ରାଉରକେଲାରେ ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିୟମ୍‌ ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀମାନେ ଏସବୁ କେନ୍ଦ୍ର ପରିଦର୍ଶନ କରି ମହାକାଶ ଓ ଗ୍ରହ-ନକ୍ଷତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ପ୍ରତ୍ୟେକ ବିଷୟ ପ୍ରତି ଜିଜ୍ଞାସୁ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ସିଏସ୍‌ଆଇଆର୍‌ର ପ୍ରଫେସର ଶିଶିର ପଣ୍ଡା ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ପୂରଣ ପାଇଁ ନିରନ୍ତର ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଓର୍‌ସାକ୍‌ର ସିଇଓ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ଦେଇ ସଂସ୍ଥାର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଭୂତଳ ଜଳ ସୁରକ୍ଷା ସମ୍ପର୍କିତ ଆଟଲାସ୍‌, ନିରନ୍ତର ବିକାଶ ଲକ୍ଷ୍ୟ, ଓର୍‌ସାକ୍‌ ଶିକ୍ଷାନବିଶ ପୋର୍ଟାଲ ଓ ପ୍ରକଳ୍ପ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ଷ୍ଟାର୍ଟଅପ୍‌କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଏକ ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ବୈଜ୍ଞାନିକ, ଶିକ୍ଷାବିତ୍‌ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *