Spread the love

ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଉଦ୍‌ଘାଟିତ
ତାଳଚେର, ୦୨/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟିି ଆଶିଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ମୁଖ୍ୟ ବକ୍ତା ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପାଣି ନିଜ ଅଭିଭାଷଣରେ ହିଙ୍ଗୁଳା ଲୋକ ମହୋତ୍ସବର ଭବ୍ୟ ଆୟୋଜନକୁ ଭୂୟସୀ ପ୍ରଶଂସା କରିବା ସହ ମା ହିଙ୍ଗୁଳା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ତାଙ୍କ ଆଶୀର୍ବାଦରେ ସମସ୍ତ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧନ କରାଯାଇପାରିବ ବୋଲି କହିଥିଲେ । ତାହାସହିତ ଇଂରାଜୀ ଭାଷା ବ୍ୟବହାର ବଦଳରେ ଓଡ଼ିଆ ଭାଷାରେ ସମସ୍ତ ପ୍ରକାର କାର୍ଯ୍ୟ କଲେ ତାହା ଆମ ଭାଷାର ଉନ୍ନତିରେ ସହାୟକ ହୋଇପାରିବ ବୋଲି ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ବିଧାୟକ ବ୍ରଜ କିଶୋର ପ୍ରଧାନ ମା’ହିଙ୍ଗୁଳା ମନ୍ଦିର କାର୍ଯ୍ୟ ବର୍ତମାନ ସୁଦ୍ଧା ଅସଂପୂର୍ଣ୍ଣ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱତ କରିବା ପାଇଁ ଆଗାମୀ ଟ୍ରଷ୍ଟ ବୋର୍ଡ଼ ବୈଠକରେ ସାଂସଦ ଶ୍ରୀ ପାଣି ଯୋଗଦେଇ ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ ।
ସେହପରି ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଚାଲିଥିବା ମା’ଙ୍କ ଯାତ୍ରାର ଦ୍ୱିତୀୟ ଦିନରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହାସହିତ ୨୨ତମ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଆଶିଷ ରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବିଶିଷ୍ଟ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନୀତ ଅତିଥି ଭାବରେ ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି ଓ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ନିଜ ଅଭିଭାଷଣରେ ମା ହିଙ୍ଗୁଳାଙ୍କ ମହିମା ବର୍ଣ୍ଣନା କରିବା ସହ ଅଗ୍ନିରୂପାଙ୍କ ଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ତାହା ସହିତ ଆଜି ଉତ୍କଳ ଦିବସ ପାଳନ ଅବସରରେ ଓଡ଼ିଶାର ଗୌରବ ବିଶ୍ୱ ଦରବାରରେ କିପରି ପ୍ରସିଦ୍ଧି ଲାଭ କରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲାର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ନୃତ୍ୟଗୁରୁ ଅନୀତା ରାଜଗୁରୁଙ୍କ ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରମାନଙ୍କ ପରିବେଷିତ ଦେଶାତ୍ମବୋଧକ ସଙ୍ଗୀତ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *