Spread the love

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୮ମ ରାଜ୍ୟସ୍ତରୀୟ ନାର୍କୋ କୋର୍ଡିନେସନ ବୈଠକ ଅନୁଷ୍ଠିତ                                                                                                       

ନିଶାମୁକ୍ତ ଓଡ଼ିଶା ପାଇଁ ସମନ୍ୱିତ ସୁଦୃଢ ପଦକ୍ଷେପ ନେବା ସଂପର୍କରେ ଆଲୋଚନା    

ନିୟମିତ ଯାଞ୍ଚ, ଅଚାନକ ଚଢ଼ାଉ ଓ ତଦାରଖ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ 

ନିରନ୍ତର ସଚେତନତା ସୃଷ୍ଟି ସହ ବିକଳ୍ପ ଚାଷ ଓ ଜୀବିକା ସୁଯଗ ପ୍ରଦାନକୁ ଫୋକସ୍   

ଭୁବନେଶ୍ୱର, ୩/୧୦ /୨୦୨୬:  

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୮ମ ରାଜ୍ୟସ୍ତରୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର (ଏନସିଓଆରଡି)ର ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।   ନିଶାଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ନିୟନ୍ତ୍ରଣ ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଓ ଅଭିଯାନକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ  । ବୈଠକରେ ନିଶାଦ୍ରବ୍ୟର ଚାହିଦା ହ୍ରାସ, ଜନସଚେତନତା, ନିଶାମୁକ୍ତି କେନ୍ଦ୍ରର ସୁଦୃଢ଼ୀକରଣ, ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପ ସହ ଯୋଡ଼ିବା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ପରିସର ଭାବେ ପରିଣତ  କରିବା ଉପରେ ବିସ୍ତୃତ  ଆଲୋଚନା ହୋଇଥିଲା  ।  ନିଶାଦ୍ରବ୍ୟର ଅବୈଧ ଚାଷ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ନିରନ୍ତର ସଚେତନତା ସୃଷ୍ଟି ସହ ଚାଷୀମାନଙ୍କୁ ବିକଳ୍ପ ଚାଷ ଓ ଜୀବିକାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳା ଓ ବିକଳ୍ପ ଚାଷ ସଂପର୍କରେ ଲୋକଙ୍କୁ ସଚେତନ କରାଯିବା ନେଇ ବିଚାର ବିମର୍ଶ ହୋଇଥିଲା  ।  

ନିଶା ବିରୋଧୀ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉଥିବା ସଂପର୍କରେ ଏସଟିଏଫ୍ ଏବଂ ନାର୍କୋ କୋର୍ଡିନେସନ ସେଣ୍ଟର ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ଅଗଷ୍ଟ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବିଶେଷ ଅଭିଯାନରେ ୧,୭୫୧ଟି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୨ ଲକ୍ଷ ୬୭ ହଜାର ୯୦୦ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି ।  ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ଦିଗରେ ମଧ୍ୟ ରାଜ୍ୟରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ରାଜ୍ୟସ୍ତରୀୟ ଅଭିଯାନରେ ୬ଟି ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ସିଣ୍ଡିକେଟ୍‌ ଚିହ୍ନଟ କରାଯାଇ ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ ପଦକ୍ଷେପ ନିଆଯାଇଛି । ନିଶାମୁକ୍ତ ସମାଜ ଗଠନ ପାଇଁ କେବଳ ଆଇନଗତ ଓ ଦଣ୍ଡାତ୍ମକ ପଦକ୍ଷେପ ନୁହେଁ, ବରଂ ସଚେତନତା, ନିଶାମୁକ୍ତି ସେବା, ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ, ବିକଳ୍ପ ଜୀବିକା ଏବଂ ସମୁଦାୟର ସହଭାଗିତାକୁ ସମାନ ଗୁରୁତ୍ୱ ଦେଇ ଆଗେଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।  ବୈଠକରେ ରାଜ୍ୟରେ ନିଶା ନିୟନ୍ତ୍ରଣ ସମ୍ପର୍କିତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଆଗାମୀ ପଦକ୍ଷେପ ସମୀକ୍ଷା କରାଯିବା ସହ ଜିଲ୍ଲାସ୍ତରରେ ନିୟମିତ ନାର୍କୋ କୋର୍ଡିନେସନ ବୈଠକ ଓ ଆନ୍ତଃବିଭାଗୀୟ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ  ଦିଆଯାଇଛି ।  

ବିଦେଶୀ ନାଗରିକଙ୍କ ସମ୍ପର୍କିତ ବିଚାରାଧୀନ ମାମଲାର ସମୀକ୍ଷା, ଦୋଷମୁକ୍ତି ରାୟ ବିରୋଧରେ ଅପିଲ୍ ଏବଂ ‘ଇମିଗ୍ରେସନ୍ ଓ ଫରେନର୍ସ ଆକ୍ଟ, ୨୦୨୫’ର କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା କରାଯାଇଥିଲା । ଚିହ୍ନଟ ଅଞ୍ଚଳଗୁଡ଼ିକରେ ଅବୈଧ ନିଶାଦ୍ରବ୍ୟ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ରାଜ୍ୟର ୨୨ଟି ବ୍ଲକ୍‌ର ୮୦ଟି ହଟ୍‌ସ୍ପଟ୍‌ ଗ୍ରାମପଞ୍ଚାୟତ ଅଧୀନ ୧୯୮ଟି ଗ୍ରାମରେ NDPS ଆଇନ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ  ଚାଲିଛି ।  ଉପଗ୍ରହ ଚିତ୍ର ଓ ରିମୋଟ୍ ସେନ୍ସିଂ ପ୍ରଯୁକ୍ତିକୁ ବ୍ୟବହାର କରି କେଉଁଠି ବେଆଇନ୍ ଗଂଜେଇ ଚାଷ କରାଯାଉଛି,  ସେ ସଂପର୍କରେ ତଦାରଖ କରିବା ସହିତ ବିକଳ୍ପ ଚାଷ ସଂପର୍କରେ ଜାଣି ହେବ ।  ସଚେତନତା, ସୋସିଆଲ୍ ମିଡିଆ ସର୍ବୋତ୍ତମ ବ୍ୟବହାର, ଧାରଣା ପରିଚାଳନା ଏବଂ ଲୋକମାନଙ୍କର ପ୍ରତିକ୍ରିୟା ସିଷ୍ଟମ୍ ବିଷୟରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି ।  

ମୁଖ୍ୟ ଶାସନ ସଚିବ ନିଶାଦ୍ରବ୍ୟ ନିୟନ୍ତ୍ରଣ ସହିତ ପ୍ରଭାବିତ ଓ ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କ ପାଇଁ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେ ରଖିବା ପାଇଁ ଜିଲ୍ଲାସ୍ତରରେ ବାର୍ଷିକ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ କରିବା ସହ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଅଧିକ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପ ଆୟୋଜନ ଉପରେ ସେ ଗୁରୁତ୍ୱ              ଦେଇଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ପରିସର ଭାବେ ଘୋଷଣା କରିବା, ବିଦ୍ୟାଳୟସ୍ତରରେ ଆଭ୍ୟନ୍ତରୀଣ କମିଟି ଗଠନ କରି ଛାତ୍ରଛାତ୍ରୀଙ୍କ ଉପରେ ନିୟମିତ ନଜର ରଖିବା ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ଶିକ୍ଷାନୁଷ୍ଠାନ ନିକଟରେ ପାନ ଦୋକାନ ନ ରହିବାକୁ  ମଧ୍ୟ  ଆବଶ୍ୟକ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦିଆଯାଇଛି ।  

ନିଶାଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ରୋକିବା ପାଇଁ ବିଭିନ୍ନ ବିଭାଗର ଯୁଗ୍ମ ଟିମ୍‌ ଗଠନ କରି ନିୟମିତ ଯାଞ୍ଚ, ଅଚାନକ ଚଢ଼ାଉ ଓ ତଦାରଖ କରିବା ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାସ୍ତରୀୟ ନାର୍କୋ କୋଅର୍ଡିନେସନ୍ କମିଟିଗୁଡ଼ିକୁ ଅଧିକ ସୁଦୃଢ଼ କରି ବିଭିନ୍ନ ବିଭାଗ ମଧ୍ୟରେ ନିୟମିତ ଓ ପ୍ରଭାବୀ ସମନ୍ୱୟ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନିଶାର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ନିୟମିତ ନଜରଦାରୀ ଓ ବିଭାଗୀୟ ସମନ୍ୱୟକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି  ।  

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଡିଜିପି ଶ୍ରୀ ବିନୟତୋଷ ମିଶ୍ର, ଆଇଜି, ଏସଟିଏଫ୍ ଶ୍ରୀ ହିମାଂଶୁ ଲାଲ, ଡିଆଇଜି. ଏସଟିଏଫ୍ ଡଃ. କେ.ଭି ସିଂ, ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ଡିଡିଜି, ଏନସିବି, ଜୋନାଲ ନିର୍ଦ୍ଦେଶକ, ଏନସିବି, ଭୁବନେଶ୍ୱର,  ଓଡିଶା ମେରିଟାଇମ ବୋର୍ଡର ମୁଖ୍ୟ, ନୌସେନା ଏବଂ ସିଆଇଏସଏଫ୍ ର ଅଧିକାରୀଙ୍କ ସମେତ ଭୁବନେଶ୍ୱର ବିମାନବନ୍ଦର, ରେଲଓ୍ୱେ, ପାରାଦୀପ ବନ୍ଦର ଆଦିର ପ୍ରବର୍ତ୍ତନ ଶାଖାରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।   

Leave a Reply

Your email address will not be published. Required fields are marked *