Spread the love

ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬
ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଦୁର୍ନୀତି ନିବାରଣ କ୍ଷେତ୍ରରେ ସର୍ବୋତ୍ତମ ପଦ୍ଧତି ଓ
ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

ଦୁର୍ନୀତି ଅଭିଯୋଗରେ ୪୧ ଜଣ ସରକାରୀ କର୍ମଚାରୀ ବହିଷ୍କୃତ ଓ
୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ

୫୦ ପ୍ରତିଶତ କନ୍‌ଭିକ୍ସନ ରେଟ୍ ହାସଲ କରି ଓଡିଶା ଭିଜିଲାନ୍ସ ଦେଶର ଅଗ୍ରଣୀ ଦୁର୍ନୀତି ନିବାରଣ ସଂସ୍ଥା ହୋଇଛି,
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦଣ୍ଡବିଧାନ ହାର
ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି

ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ
ଦୁର୍ନୀତିକୁ ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର
୨୭ ଅକ୍ଟୋବର ୨୦୨୬

ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ, ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇ କହିଛନ୍ତି।

ସେ କହିଥିଲେ ଆମ ସରକାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ତାଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଉଛନ୍ତି ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ସାଧୁତାର ଶପଥ ପାଠ କରାଇ କହିଥିଲେ ଯେ, ଭିଜିଲାନ୍ସ ବିଭାଗ ହେଉଛି ଗୁଡ୍‌ ଗଭର୍ଣ୍ଣାନ୍ସର ଆଖି ଓ କାନ। ଗୁଡ୍ ଗଭର୍ଣ୍ଣାନ୍ସ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଉଦ୍ଦିଷ୍ଟ ଅର୍ଥ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା। ତେଣୁ, ରାଜ୍ୟର ପ୍ରଗତି ସହିତ ତାଳ ମିଳାଇ ଆମ ସରକାର ଓଡିଶା ଭିଜିଲାନ୍ସକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ JAM ବ୍ୟବସ୍ଥା ପାଇଁ ତାଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଟେକ୍ନୋଲୋଜିକୁ ବ୍ୟବହାର କରି ମୋଦୀଜୀ ତୃଣମୂଳ ସ୍ତରରେ ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ କରିଛନ୍ତି। ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏହି ବ୍ୟବସ୍ଥା ଗରିବଙ୍କ ପାଇଁ ଭଗବାନଙ୍କ ବରଦାନ ଠାରୁ କିଛି କମ୍ ନୁହେଁ ବୋଲି ସେ କହିଥିଲେ।

ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁର୍ନୀତି ମୁକାବିଲା ପାଇଁ ଆମ ସରକାର ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ନୀତି, ଇଣ୍ଟେଲିଜେନ୍ସ ଆଧାରରେ ପଦ, କାର୍ଯ୍ୟକାଳ ନିର୍ବିଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ପାଇଁ ଗିରଫ ହୋଇଥିବା ଅଧିକାରୀଙ୍କ ଦଣ୍ଡ ବିଧାନ ଭଳି ତିନୋଟି ରଣକୌଶଳ ଆପଣାଇଛନ୍ତି। ଭିଜିଲାନ୍ସ ବିଭାଗ ଏହି ରଣକୌଶଳକୁ ନିର୍ଭିକତାର ସହିତ ଏବଂ ବୃତ୍ତିଗତ ଭାବେ କାର୍ଯ୍ୟକାରୀ କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଅଢେଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ଏବଂ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ୨୦୨୫ରେ କନ୍‌ଭିକ୍ସନ ରେଟ୍ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି। ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ।

ଦୁର୍ନୀତି ନିୟନ୍ତ୍ରଣ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ପାଇଁ Odisha IT Policy ଅନୁମୋଦନ କରାଯାଇଛି। ଓଡିଶା ଭିଜିଲାନ୍ସରେ ଏକ Preventive Vigilance Research Wing ଗଠନ କରାଯାଉଛି। ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତିଗ୍ରସ୍ତକୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରାଯିବ।

ଶେଷରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପ୍ରସଙ୍ଗ ‘ସାଧୁତାରୁ ସମୃଦ୍ଧି’ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ଦୃଢ ନୈତିକତା, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତା ହେଉଛି ଆମର ଏହି ଦୁର୍ନୀତି ବିରୋଧୀ ଲଢେଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର। ସରକାରୀ କର୍ମଚାରୀମାନଙ୍କୁ ଆଚରଣରେ ସାଧୁତା ଓ ନିଷ୍ଠା ପ୍ରଦର୍ଶନ କରିବା ସହିତ ସମସ୍ତେ ସାଧୁତାକୁ ନିଜର ବିଶ୍ୱାସ ଓ ନିଷ୍ଠାକୁ ଜୀବନର ଏକ ଶୈଳୀ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନ, ଶ୍ରେଷ୍ଠ ୟୁନିଟ ଭାବେ ଅନୁଗୋଳ ୟୁନିଟ, ଶ୍ରେଷ୍ଠ ଆଇ.ଓ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସପି ଶ୍ରୀ ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ଆଇ.ଓ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଏବଂ ଶ୍ରେଷ୍ଠ
ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେସାଲ ଜଜ୍ କୋର୍ଟର ଶ୍ରୀ ସଲିଳ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଲୋକମାନଙ୍କ କଷ୍ଟଲବ୍ଧ ଅର୍ଥରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଯେପରି ଧାଡିର ଶେଷରେ ଥିବା ହିତାଧିକାରୀ ଠିକ୍ ଭାବରେ ପାଇପାରିବେ ସେଥିପାଇଁ ସାଧୁତାର ସହ କାର୍ଯ୍ୟ କରିବା ଅପରିହାର୍ଯ୍ୟ। ରାଜ୍ୟ ସରକାର ବହୁ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ ସ୍ୱଚ୍ଛତାର ସହ ସେବା ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ।

ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ କୁମାର ଜେଠୱା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରି ବିଭାଗର ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ଆଭିମୁଖ୍ୟକୁ ଅନୁପାଳନ କରି ଓଡିଶା ଭିଜିଲାନ୍ସ ନିରବଚ୍ଛିନ୍ନ ଭାବେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି ସେ କହିଥିଲେ।

ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଭିଜିଲାନ୍ସ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅସିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *