Spread the love

ଲଗାତାର ୧୦ ଦିନ ହେଲାଣି LOCରେ ଅସ୍ତ୍ରବିରତି ଉଲ୍ଲଘଂନ। ୧୦ ଦିନରେ ୩୩ଥର ଅସ୍ତ୍ରବିରତି ଉଲ୍ଲଘଂନ କଲାଣି ପାକିସ୍ତାନ। । କୁପୱାରା, ବାରମୂଳା, ପୁଞ୍ଚ, ରଜୌରୀ, ନୌସେରାରେ ଅସ୍ତ୍ରବିରତି ଉଲ୍ଲଘଂନ। ଉଲ୍ଲଘଂନକାରୀ ପାକ୍‌ ସେନାକୁ କଡ଼ା ଜବାବ ଦେଉଛି ଭାରତ ।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍‌ ଓ ପାର୍ସଲଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। କେବଳ ସେତିକି ନୁହେଁ, ପାକିସ୍ତାନୀ ଜାହାଜଗୁଡ଼ିକ ଭାରତୀୟ ବନ୍ଦରରେ ନ ଲଗାଇବାକୁ କଟକଣା ଲଗାଯାଇଛି।ବୈଦେଶିକ ବାଣିଜ୍ୟ ନୀତି (ଏଫ୍‌ଟିପି) ୨୦୨୩ର ନୂଆ ନିୟମାବଳୀ ଅନୁଯାୟୀ, ଆମଦାନୀ ଓ ଦ୍ରବ୍ୟ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ତୁରନ୍ତ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜାତୀୟ ସୁରକ୍ଷା ଏବଂ ଜନସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେବା ଜରୁରୀ ଥିଲା ବୋଲି ସରକାର କହିଛନ୍ତି। ଯଦି କୌଣସି ବ୍ୟତିକ୍ରମ ଆବଶ୍ୟକ ପଡ଼େ, ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁମୋଦନ ଆବଶ୍ୟକ ପଡ଼ିବ।ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଅତ୍ୟନ୍ତ ସୀମିତ ଥିଲା। ଚଳିତ ଆର୍ଥିକ ବର୍ଷରେ ଭାରତ ସେଠାରୁ ମାତ୍ର ୦.୫ ନିୟୁତ ଡଲାର ମୂଲ୍ୟର ପଣ୍ୟ ଆମଦାନୀ କରିଥିବାବେଳେ ପ୍ରାୟ ୫୦୦ ନିୟୁତ ଡଲାରର ପଣ୍ୟ ରପ୍ତାନୀ କରିଥିଲା। ୨୦୧୯ ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନୀ ଆମଦାନୀ ସାମଗ୍ରୀ ଉପରେ ଭାରତ ୨୦୦ ପ୍ରତିଶତ ଟାରିଫ୍‌ ଲଗାଇ ଏହାକୁ ମହଙ୍ଗା କରିଦେଇଥିଲା। ଫଳରେ ୨୦୨୪ ଏପ୍ରିଲରୁ ୨୦୨୫ ଜାନୁଆରୀ ମଧ୍ୟରେ ସେଠାରୁ ଆମଦାନୀ ମାତ୍ର ୦.୪୨ ନିୟୁତ ଡଲାରକୁ ହ୍ରାସ ପାଇଥିଲା। ଏଥିସହିତ ପାକିସ୍ତାନ ସହ ବିମାନ ଓ ସ୍ଥଳପଥ ଯୋଗେ ହେଉଥିବା ସମସ୍ତ ମେଲ୍‌ ଓ ପାର୍ସଲ ଆଦାନପ୍ରଦାନକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଡାକ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ପାକିସ୍ତାନୀ ପତାକା ଲାଗିଥିବା ଜାହାଜଗୁଡ଼ିକୁ ଭାରତୀୟ ବନ୍ଦର ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଭାରତୀୟ ପତାକା ଲାଗିଥିବା ଜାହାଜଗୁଡ଼ିକ ମଧ୍ୟ ପାକିସ୍ତାନ ବନ୍ଦରକୁ ଯିବେ ନାହିଁ। ଫଳରେ ୨ ଦେଶ ମଧ୍ୟରେ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

Leave a Reply

Your email address will not be published. Required fields are marked *