ସରକାରୀ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି, ଡେଙ୍ଗୁ ବ୍ୟାପିବା ଆଶଙ୍କା
ବଅଁରପାଳ ବ୍ଲକ ଫୁଲପଡା ଗ୍ରାମ ପଞ୍ଚାୟତ ସମୂଖରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବାର ଦେଖିବାକୁ ମିଳିଅଛି । ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ପରିସରରେ ଥିବା ରୋଷେଇ ଘର ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଅଛି । ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ନାମରେ ବିଦ୍ୟାଳୟ ଉନ୍ନତି କରଣ କରିବା ଦିଗରେ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ଅଭାବରୁ ଏଭଳି ବିଦ୍ୟାଳୟର ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ରାଜ୍ୟରେ ଡେଙ୍ଗୁ ଆତଙ୍କ ବ୍ୟାପିବାରେ ଲାଗିଥିବା ବେଳେ ଉକ୍ତ ବିଦ୍ୟାଳୟ ପରିସରରେ ସଫା ସୁତରାକୁ ଗୁରୁତ୍ୱ ଦିଆ ଯାଉ ନଥିବା ଏବଂ ପରିସରରେ ଶୁଖିଲା କାଠ ଗଣ୍ଡି ପଡିରହିବା, ଅନେକ ଦିନ ଧରି ବର୍ଷା ପାଣି ଜମାଟ ବାନ୍ଧି ରହିବା ଫଳରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଅଛି । ଛୋଟ ଛୋଟ କୁନି ପିଲାମାନଙ୍କୁ ଅଭିଭାବକ ବିଦ୍ୟାଳୟକୁ ଛାଡିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଉକ୍ତ ବିଦ୍ୟାଳୟ ପରିସରକୁ ସଫା ସୁତରା କରିବା ସହ ବର୍ଜ୍ୟବସ୍ତୁ ଓ ଜମାଟ ପାଣିକୁ ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ସ୍ଥାନୀୟ ବିଡିଓ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।
