Spread the love

ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ସେଚେଲ୍ସ ଗସ୍ତରେ ଥିବା ବେଳେ ସେଠାରେ ସେ ବିଶ୍ୱର ସବୁଠାରୁ ବୟସ୍କ ସ୍ଥଳଭାଗ ଜୀବ ‘ଜୋନାଥନ୍’ ନାମକ ଏକ ବିଶାଳକାୟ କଇଞ୍ଚକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ସେଚେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ବା ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଚେଲ୍ସର ଜାତୀୟ ଦିବସ ସମାରୋହରେ ‘ମୁଖ୍ୟ ଅତିଥି’ ଭାବେ ନିମନ୍ତ୍ରଣ କରାଯାଇଛି।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସହ ପରିବେଶ ସଂରକ୍ଷଣର ବାର୍ତ୍ତା ଦେଇ ଏକ ବୃକ୍ଷରୋପଣ ମଧ୍ୟ କରିବେ।ଗିନିଜ୍ ୱାର୍ଲଡ୍ ରେକର୍ଡସ ପକ୍ଷରୁ ପୃଥିବୀର ସବୁଠାରୁ ଦୀର୍ଘଜୀବୀ ସ୍ଥଳଚର ପ୍ରାଣୀର ମାନ୍ୟତା ପାଇଥିବା ଏହି ସେଚେଲ୍ସ ଜାତୀୟ କଇଞ୍ଚ ‘ଜୋନାଥନ୍’ର ଜନ୍ମ ଆନୁମାନିକ ୧୮୩୨ ମସିହାରେ ହୋଇଥିଲା ଏବଂ ବର୍ତ୍ତମାନ ତା’ର ବୟସ ପ୍ରାୟ ୧୯୪ ବର୍ଷ। ବିଗତ ଦୁଇ ଶତାବ୍ଦୀ ଧରି ବିଶ୍ୱର ଅନେକ ଐତିହାସିକ ପରିବର୍ତ୍ତନର ମୂକସାକ୍ଷୀ ସାଜିଥିବା ଏହି ଜୀବଟି ବାର୍ଦ୍ଧକ୍ୟ ଜନିତ କାରଣରୁ ଦୃଷ୍ଟିଶକ୍ତି ଓ ଶୁଙ୍ଘିବା ଶକ୍ତି ହ୍ରାସ ପାଇଥିଲେ ମଧ୍ୟ ସ୍ୱତନ୍ତ୍ର ଯତ୍ନ ଯୋଗୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସେଚେଲ୍ସର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଚ୍ଚସ୍ତରୀୟ ଗସ୍ତ ଦ୍ୱାରା ଦ୍ୱିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, ବ୍ଲୁ ଇକୋନୋମି ଏବଂ ଜଳବାୟୁ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ରଣନୈତିକ ସହଯୋଗ ଆହୁରି ମଜବୁତ ହେବ।

Leave a Reply

Your email address will not be published. Required fields are marked *