Spread the love

୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା

ଭବାନୀପାଟଣା (ଜାଗ୍ରତ ଭାରତ)
ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଡିଭିଜନାଲ୍ ଲେବର କମିଶନରଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଧର୍ମଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କୁ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ସହିତ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ୮୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ୨୦ ଜଣ ଅସଂଗଠିତ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।

ଏଥିସହିତ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ମାତୃତ୍ୱ ସହାୟତା, ଶିକ୍ଷା ସହାୟତା ଓ ବିବାହ ସହାୟତା ଭଳି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସହାୟତା ସାମିଲ ଥିଲା।

କାର୍ଯ୍ୟକ୍ରମରେ ଧର୍ମଗଡ଼ର ମାନ୍ୟବର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମାନ୍ୟବର କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଶ୍ରୀ ଲକ୍ଷ୍ମୀକାନ୍ତ ବାଗ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଧର୍ମଗଡ଼ ଏନ୍‌ଏସି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ଧର୍ମଗଡ଼ ଡେପୁଟି କଲେକ୍ଟରଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ଶିବିରରେ ଶ୍ରମିକମାନଙ୍କୁ ପଞ୍ଜୀକରଣ ପ୍ରକ୍ରିୟା, ଶ୍ରମିକ କାର୍ଡର ଉପଯୋଗିତା, ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଉପଲବ୍ଧ ସୁବିଧା, ଯୋଗ୍ୟତା ମାନଦଣ୍ଡ ଏବଂ ଆବଶ୍ୟକୀୟ ଦସ୍ତାବିଜପତ୍ର ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ଯୋଗ୍ୟ ଶ୍ରମିକମାନେ ନିଜର ପଞ୍ଜୀକରଣ ନିଶ୍ଚିତ କରିବା ସହ ସରକାରଙ୍କ ପକ୍ଷରୁ ଉପଲବ୍ଧ କଲ୍ୟାଣକାରୀ ସୁବିଧାର ସୁଯୋଗ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ।

ଶ୍ରମିକମାନଙ୍କୁ ସରକାରୀ ସୁବିଧା ପାଇବାରେ କୌଣସି ଅସୁବିଧା ନହେବା ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ କଲ୍ୟାଣକାରୀ ଯୋଜନାର ଲାଭ ସୁନିଶ୍ଚିତ ଭାବେ ପହଞ୍ଚାଇବା ଉପରେ ଶ୍ରମ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।

ଏହି ଶିବିର ମାଧ୍ୟମରେ ଶ୍ରମିକମାନଙ୍କୁ ଏକ ସ୍ଥାନରେ ପଞ୍ଜୀକରଣ, ଶ୍ରମିକ କାର୍ଡ ବଣ୍ଟନ, ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କିତ ସୂଚନା ଓ ଆର୍ଥିକ ସହାୟତା ପ୍ରଦାନ କରାଯିବା ଫଳରେ ସେମାନେ ସରକାରଙ୍କ ଶ୍ରମିକ କଲ୍ୟାଣମୂଳକ ପଦକ୍ଷେପର ସୁଯୋଗ ନେବାରେ ଅଧିକ ସହାୟତା ପାଇପାରିଛନ୍ତି।

Leave a Reply

Your email address will not be published. Required fields are marked *