୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଭୋଟ, ୧୬ରେ ଶପଥ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ହେବ ଛାତ୍ରସଂସଦ ନିର୍ବାଚନ। ଛାତ୍ର ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ କରି ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାର ପରଦିନ, ଅର୍ଥାତ୍ ଅକ୍ଟୋବର ୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଦଶହରା ଛୁଟି ପୂର୍ବରୁ ଶେଷ କରାଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଅକ୍ଟୋବର ୯ରେ ନାମାଙ୍କନପତ୍ର ଦାଖଲ କରାଯିବ। ନିର୍ବାଚନ ପ୍ରକ୍ରିୟା ସମୟବଦ୍ଧ ଭାବେ ଆଗେଇ ନିଆଯାଇ ଛାତ୍ରସଂସଦ ନିର୍ବାଚନ ସମ୍ପନ୍ନ କରାଯିବ।
ଦୀର୍ଘଦିନ ପରେ ନିର୍ବାଚନ ହେବାକୁ ଥିବାରୁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ରାଜନୀତି ପୁଣି ସକ୍ରିୟ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
