ବାଇକ୍ ଓ ପିକ ଅପ୍ ମୁହାଁମୁହିଁ : ଦୁଇ ମୃତ
ଭଟଲି : – ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବରଗଡ଼ ସଦର ଥାନା ଅନ୍ତର୍ଗତ ବାଲିଜୁରି ଗ୍ରାମର ସୁନିଲ ମହାନନ୍ଦ ପ୍ରାୟ ଏକ ମାସ ହେବ ଲଖନପୁରରେ ରହି ଦିନ ମଜୁରିଆ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ନିଜ କୌଣସି କାମ ପାଇଁ ଶୁକ୍ରବାର ଦିବା ପ୍ରାୟ ୧୨ଟା ସମୟରେ ଲଖନପୁର ଗ୍ରାମର ଉପେନ୍ଦ୍ର ପଧାନ (କାଲିଆ )କୁ ନିଜ ହିରୋ ଏଚ୍ ଏଫ୍ ଡିଲକ୍ସ ବାଇକରେ ପଛପଟେ ବସାଇ ବରଗଡ଼ ବାଲିଜୁରି ପଟକୁ ଯାଉଥିଲେ। ବିପରୀତ ଦିଗରୁ ଦ୍ରୁତ ଗତିରେ ବେପରୁଆ ଭାବରେ ଆସୁଥିବା ଓଡି ୧୫ଏଡି ୭୮୯୨ ବିଶିଷ୍ଟ ଏକ ପିକ ଅପ୍ ଭ୍ୟାନ ଉକ୍ତ ବାଇକକୁ ଜୋରଦାର ଧକ୍କା ଦେଇଥିଲା ଫଳରେ ସେମାନେ ଛିଟିକି ଯାଇ ତଳେ ପଡିଥିଲେ। ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ଯେ ବାଇକ୍ ର ଆଗ ଚକା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ତଳେ ପଡି ପ୍ରଚୁର ରକ୍ତସ୍ରାବ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳକୁ ଭଟଲି ପୋଲିସ ପହିଞ୍ଚି ଦୁର୍ଘଟଣା ଘଟାଇ ଥିବା ପିକଅପ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଭଟଲି ଥାନାଧିକାରୀ ବିଭୁତି ଭୁଷଣ ଦଳେଇ ସୂଚନା ଦେଇଛନ୍ତି। ଏନେଇ ମୃତ ସୁନିଲ ଙ୍କ ସ୍ତ୍ରୀ ଅରୁଣା ତାଣ୍ଡି ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଓ ଗାଡ଼ି ବିରୁଦ୍ଧରେ ଭଟଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ମୃତ ଉପେନ୍ଦ୍ରଙ୍କ ପରିବାର ବର୍ଗ ଚିକିତ୍ସାଳୟକୁ ଆସି ଉପେନ୍ଦ୍ରଙ୍କ ଚକ୍ଷୁ ଦାନ କରିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ଦୁର୍ଘଟଣା ଘଟାଇଥିବା ଏହି ପିକ ଅପ୍ ଭ୍ୟାନ ଉପରେ ଏକମାସ ପୂର୍ବରୁ ବେପରୁଆ ଦ୍ରୁତଗାଡି ଚଳାଇବାକୁ ନେଇ ୭୦୦୦ ଟଙ୍କା ଜୋରିମାନା ହୋଇଥିବା ପରିବହନ ପୋର୍ଟାଲ ମାଧ୍ୟମରେ ଜଣାପଡିଛି।




