Spread the love

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରାଣୀସମ୍ପଦର ବ୍ୟାପକ କ୍ଷତି, ସୁରକ୍ଷା ଓ ଚିକିତ୍ସା ପାଇଁ ସରକାରଙ୍କ ତ୍ୱରିତ ପଦକ୍ଷେପ

୨.୫୭ ଲକ୍ଷରୁ ଅଧିକ ପ୍ରାଣୀ ପ୍ରଭାବିତ, ୮,୫୯୧ଙ୍କୁ ଚିକିତ୍ସା

୭୨ ରାପିଡ୍ ରେସପନ୍ସ ଟିମ୍ ମୁତୟନ, ୧୧୬ଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର, ୧/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ମାନବ ସମାଜ ସହ ପ୍ରାଣୀସମ୍ପଦ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ରକ୍ଷା, ଚିକିତ୍ସା, ଟିକାକରଣ ଓ ଖାଦ୍ୟ ଯୋଗାଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି।

ସରକାରୀ ସୂଚନା ଅନୁଯାୟୀ, ବନ୍ୟାରେ ମୋଟ ୨,୫୭,୩୭୬ଟି ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରେ ୧,୧୮,୪୭୯ଟି ଗାଈ, ଗୋରୁ ଓ ମଇଁଷି ଏବଂ ୧,୩୮,୮୯୭ଟି ଛେଳି ଓ ମେଣ୍ଢା ରହିଛନ୍ତି। ଏହାବ୍ୟତୀତ ୧,୧୫,୬୪୯ଟି କୁକୁଡ଼ା ମଧ୍ୟ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧୨୬ଟି ଗାଈଗୋରୁ ଓ ମଇଁଷି, ୪୦୬ଟି ଛେଳି ଓ ମେଣ୍ଢା ଏବଂ ୯୭,୦୦୩ଟି କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ମୋଟ ୧୩,୩୨୦ ଜଣ ପ୍ରାଣୀପାଳକ ପ୍ରଭାବିତ ହୋଇଛନ୍ତି।

ପ୍ରାଣୀଙ୍କ ସୁରକ୍ଷା ପାଇଁ ୧,୯୧୮ଟି ପ୍ରାଣୀଙ୍କୁ ବିପଦସଙ୍କୁଳ ସ୍ଥାନରୁ ଉଦ୍ଧାର କରି ୩୧ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଜରୁରୀକାଳୀନ ଚିକିତ୍ସା ଓ ସେବା ପାଇଁ ରାଜ୍ୟରେ ୭୨ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ ହୋଇଥିବାବେଳେ ୧୧୬ଟି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଏହି ଶିବିର ମାଧ୍ୟମରେ ୮,୫୯୧ଟି ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ସେହିପରି ୧୯,୫୮୨ଟି ପ୍ରାଣୀଙ୍କର ବାତ୍ୟା ପରବର୍ତ୍ତୀ ଟିକାକରଣ ସମ୍ପନ୍ନ ହୋଇଛି।

ଅନ୍ୟପକ୍ଷରେ ପ୍ରାଣୀଙ୍କ ଖାଦ୍ୟ ସମସ୍ୟା ଦୂର କରିବାକୁ ଗଞ୍ଜାମ ଜିଲ୍ଲାକୁ ୨୦୧.୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୮୭ ମେଟ୍ରିକ୍ ଟନ୍ ବଣ୍ଟନ କରାଯାଇସାରିଛି। ଏହା ସହିତ ୫୩.୫୩ କ୍ୱିଣ୍ଟାଲ ସବୁଜ ଚାରା ଓ ୪୨.୪୧ କ୍ୱିଣ୍ଟାଲ ରାଇସ୍ ବ୍ରାନ୍ ବା କୁଣ୍ଡା ଯୋଗାଇ ଦିଆଯାଇଛି। ଆବଶ୍ୟକ ପରିମାଣର ଗୋଖାଦ୍ୟ ମହଜୁଦ ରଖାଯାଇଥିବାବେଳେ ବନ୍ୟାଞ୍ଚଳରେ ତୁରନ୍ତ ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥା ହୋଇଛି।

ପ୍ରାଣୀପାଳକଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ଜରୁରୀ ସେବା ପାଇଁ ବ୍ଲକ୍, ଉପଖଣ୍ଡ ଏବଂ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ୨୩ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ ସହ ୫୫ଟି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।

ବନ୍ୟାରେ ପ୍ରାଣୀସମ୍ପଦ ହରାଇଥିବା ଚାଷୀ ଓ ପ୍ରାଣୀପାଳକଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରବର୍ତ୍ତୀ ସମୟରେ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ରୋଗ ନିୟନ୍ତ୍ରଣ ଓ ପ୍ରାଣୀପାଳକଙ୍କ ଜୀବିକା ପୁନରୁଦ୍ଧାର ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *