### HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ସାତକୋଶିଆ ବନଖଣ୍ଡର ବରିଷ୍ଠ ସହାୟକ ଗିରଫ
ଅନୁଗୋଳ: ୧.୨୩ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଅଜୟ କୁମାର ନାଏକ। ସେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୬ ଅକ୍ଟୋବର ମାସରେ ଏହି ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରଠାରୁ ଅଜୟ ଫେରାର ଥିଲେ। ତାଙ୍କ ଗତିବିଧି ଉପରେ ଭିଜିଲାନ୍ସ ଟିମ୍ ନଜର ରଖିଥିବା ବେଳେ ଗତକାଲି ରାତିରେ ଅନୁଗୋଳ ସହରରେ ଏକ କାର୍ରେ ନିଜ ଘରକୁ ଯାଉଥିବା ସମୟରେ ତାଙ୍କୁ ଧରାଯାଇଥିଲା।
ସରକାରୀ ଅର୍ଥ ହଡ଼ପ ଅଭିଯୋଗର ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ଅଜୟ କୁମାର ନାଏକ ୨୦୧୯ ଜାନୁଆରୀ ୧ ତାରିଖରୁ ୨୦୨୫ ଜୁନ୍ ୩୦ ତାରିଖ ମଧ୍ୟରେ ମୋଟ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, HRMS ପୋର୍ଟାଲରେ ଅନଲାଇନ୍ ରେକର୍ଡ ହେରଫେର କରି ଅଭିଯୁକ୍ତ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ଅବ୍ୟବହୃତ ଛୁଟି ଦରମା ଓ ବକେୟା ଅର୍ଥ ପ୍ରଦାନ ପାଇଁ ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ନଯାଇ ଅଭିଯୁକ୍ତଙ୍କ ନିଜ ବ୍ୟାଙ୍କ ଖାତା ସମେତ ତାଙ୍କର ଦୁଇଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ NEFT ମାଧ୍ୟମରେ ଟ୍ରେଜେରୀ ଜରିଆରେ ପଠାଯାଉଥିଲା ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତ ଅଜୟ କୁମାର ନାଏକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି।
ଗିରଫ ଅଭିଯୁକ୍ତଙ୍କୁ ଆଜି ଅଦାଲତରେ ହାଜର କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅର୍ଥ ହଡ଼ପ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଆଗକୁ ବଢ଼ିବାର ସମ୍ଭାବନା ରହିଛି।
