ପୋଲିସ କୁ ମିଳିଛି ବଡ଼ ସଫଳତା, ଦକ୍ଷ ପ୍ରଜାପତି ମନ୍ଦିର ରୁ ଚୋରି ହୋଇଥିବା ଅଷ୍ଟ ଧାତୁ ନିର୍ମିତ ମୂର୍ତ୍ତି ଉଦ୍ଧାର:

ଜେ. ବି. ଏନ,୩୦/୦୧ /୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ ), ବାଣପୁର :
ଦକ୍ଷେଶ୍ୱର ମନ୍ଦିର ର ଅଷ୍ଟ ଧାତୁ ନିର୍ମିତ ମୂର୍ତ୍ତି ଚୋରି ଘଟଣାର ପର୍ଦାଫାଶ କରିବା ସହ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହୋଇଛି ବାଣପୁର ପୋଲିସ୍। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଏସ.ପି ଅଜେୟ ପ୍ରତାପ ସ୍ଵାଇଁ।
ସୂଚନା ମୁତାବକ ଏହି ମୂର୍ତ୍ତି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା 4 ଜଣ ଚୋରକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ସମସ୍ତ 4 ଜଣ ଚୋର ରାଜସ୍ଥାନର ବୋଲି ଜଣାପଡିଛି। ସେମାନେ ହେଲେ ମୁକେଶ ଚନ୍ଦ୍ର ମୀନା(୪୪), କୈଳାଶ ମୀନା(୩୪), ଚୁତ୍ତାନ (୩୨), ମନୋଜ କୁମାର ମୀନା(୩୦)। ସେମାନଙ୍କ ନିକଟରୁ ୯ ଟି ଦେବାଦେବୀଙ୍କ ମୂର୍ତ୍ତି ଜବତ କରିବା ସହ, ଚାରୋଟି ତରଳା ଯାଇଥିବା ମୂର୍ତ୍ତି (ଧାତୁ), ଗୋଟିଏ ଆଧାର କାର୍ଡ, ତିନୋଟି ମୋବାଇଲ ଏବଂ ଗୋଟିଏ ଏୟାର ବ୍ୟାଗ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଯୁବକମାନେ ମୂର୍ତ୍ତି ଚୋରୀ ଉଦ୍ଦେଶ୍ୟରେ ଏକାଧିକ ଥର ଓଡିଶା ଆସିଛନ୍ତି।
ସେମାନେ ନିଜକୁ ଶ୍ରମିକ ଭାବେ ଦର୍ଶାଇଥାନ୍ତି। ସେମାନେ ଓଡିଶାର ୫/୬ ଟି ଜିଲ୍ଲାର ସ୍ଥାନୀୟ ଲୋକମାନଙ୍କ ସହ ସମ୍ପର୍କରେ ଥିଲେ। କାମ କରିବା ଉଦେଶ୍ୟ ରେ ଓଡିଶାର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି ଏବଂ ପୂର୍ବ ଯୋଜନା କରି ବିଭିନ୍ନ ମନ୍ଦିରଗୁଡିକ ଟାର୍ଗେଟ କରିଥାନ୍ତି |
ଉଲ୍ଲେଖ ଯୋଗ୍ୟ ଯେ, ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ଗତ ବର୍ଷ ଡିସେମ୍ବର ୨୨ ତାରିଖ ବିଳମ୍ବିତ ରାତ୍ରିରେ ୨୨ ଟି ମୁଲ୍ୟବାନ ମୂର୍ତ୍ତି ଚୋରୀ ହୋଇଥିଲା। ଏ ନେଇ ବାଣପୁର ଥାନାରେ ମାମଲା ରୁଜୁ ହେବାପରେ ବାଲୁଗାଁ ଏସ୍ଡ଼ିପିଓ ଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଏସ୍.ଆଇ ବିଜୟ କୁମାର ମଲ୍ଲିକ ଏବଂ ରାଜକିଶୋର ବେହେରାଙ୍କ ମିଳିତ ଟିମ ଏହାର ତଦନ୍ତରେ ଲାଗିପଡ଼ିଥିଲେ।
ତେବେ ଗତକାଲି ରାତିରେ ଖୋର୍ଦ୍ଧା ବରୁଣେଇ ଅଞ୍ଚଳରୁ କୈଳାଶ ମୀନାଙ୍କୁ ପୋଲିସ ଗିରଫ କରିବାପରେ ତାଙ୍କ ସୂଚନା ଅନୁଯାୟୀ ଅନ୍ୟ ୩ ଜଣ ଆସାମୀଙ୍କୁ ଗିରଫ କରିଥିଲା। ତେବେ ଚୋର ମାନେ ଓଡିଶାରୁ ପୂର୍ବରୁ ବହୁ ମୂର୍ତ୍ତି ଚୋରି କରିଥିବାରୁ ସବୁ ମୂର୍ତ୍ତି ଗୁଡିକୁ ରାଜସ୍ଥାନ ନେବା ସମ୍ଭବ ନଥିଲା। ତେଣୁ ସେମାନେ କେତେକ ମୂର୍ତ୍ତିଗୁଡିକୁ ପୋତିଦେଇଥିବା ସ୍ଥଳେ ଅନ୍ୟ କେତେକ ମୂର୍ତ୍ତିଗୁଡିକୁ ତରଳାଇ ଧାତୁ ତିଆରି କରିଦେଇଥିଲେ। ଏବଂ ଯାହା କିଛି ମୂର୍ତ୍ତି/ଧାତୁ ସେମାନଙ୍କ ନିକଟରେ ଥିଲା ତାକୁ ପୋଲିସ ଜଟଣୀ ନିକଟସ୍ଥ ଗୋଶାଳା ପଡିଆରୁ ଜବତ କରିଛି।
ଅପରପକ୍ଷରେ ପୋଲିସ ଦକ୍ଷ ପ୍ରଜାପତି ମନ୍ଦିର ପ୍ରଶାସନକୁ ମନ୍ଦିରର ସୁରକ୍ଷା ବଢାଇବା ପାଇଁ ନିବେଦନ କରିଛି କାରଣ ଚୋର ମାନଙ୍କୁ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା ଥିବାହେତୁ ଚୋରି କରିବାକୁ ସୁବିଧା ହୋଇଥିଲା।
ତେବେ ବାଣପୁର ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ଥିବାବେଳେ ଦୀର୍ଘ ଏକମାସ ପରେ ଲୁଟ ଘଟଣାର ପର୍ଦ୍ଦାଫାଶ କରିବାକୁ ସଫଳ ହୋଇଛି। ଏଥିଲାଗି ବାଣପୁର ଜନସାଧାରଣ ପୋଲିସ ପ୍ରଶାସନକୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଇଛି |ଆଗକୁ କେମିତି କୌଣସି ମନ୍ଦିର ରୁ ଚୋରି ନହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ସରକାର ଙ୍କ ପାଖରେ ନିବେଦନ କରିଛନ୍ତି |



