ଦେଶ ଦେଖିବ ସର୍ବ ବୃହତ ହକି ଷ୍ଟାଡିୟମ, ସୁନ୍ଦରଗଡକୁ ୪୯୧୫ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଜେ ବି ଏନ୍ (୧୬/୦୨/୨୦୨୧) ରିପୋର୍ଟ (ସୁବ୍ରତ ସାମଲ) ରାଉରକେଲା: ଦିନିକିଆ ଗସ୍ତରେ ଯାଇ ଆଜି ରାଉରକେଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲାରେ ପହଞ୍ଚିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଆୟୋଜିତ ଏକ ସଭାରେ ଯୋଗ ଦେଇ ନବୀନ କହିଛନ୍ତି ଯେ, ଆଶାର ସହର ହେଉଛି ରାଉରକେଲା। ଏହାସହ ରାଉରକେଲାକୁ ହକି ବିଶ୍ୱକପ୍ ଭେନ୍ୟୁ ମନୋନୀତ କରାଯାଇଛି। ଆଜି ରାଉରକେଲାରେ ହିଁ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ଭିତ୍ତି ଦିଆଗଲା ଓ ଏହାସହ ନୂତନ ଭାବରେ ନିର୍ମାଣ ହେବାକୁ ଥିବା ହକି ଷ୍ଟାଡ଼ିୟମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଗଲା ବୋଲି ନବୀନ ନିଜ ବକ୍ତବ୍ୟରେ କହିଛନ୍ତି। ତେବେ ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଉଦବୋଧନ ମଧ୍ୟ ଦେଇଥିଲେ। ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଳିଥିବା ସୂଚନା ଅନୁସାରେ,ସ୍ୱାସ୍ଥ୍ୟସେବା ପାଇଁ ୧୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩୨୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସଭାରେ ଉପସ୍ଥିତ ଥିବା ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।




