ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିତ୍ତିୟ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁକୂଲ୍ୟରେ ଅନୁଗୋଳ ଜିଲ୍ଲା ଓଡିଶା ଗ୍ରାମ୍ୟବ୍ୟାଙ୍କ ବଅଁରପାଳ ଶାଖା ପକ୍ଷରୁ ବିତ୍ତିୟ ସାକ୍ଷରତା କର୍ମଶାଳା ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କର ଉପ – ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ସୁନିଲ କୁମାର ଦାସ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ବିତ୍ତିୟ ସାକ୍ଷରତା ସପ୍ତାହର ମୁଖ୍ୟ ବିଷୟ ହୁସିଆର ବନନ୍ତୁ , ବୁଦ୍ଧିମାନ ବନନ୍ତୁ ଓ ଦାୟିତ୍ବବାନ ବନନ୍ତୁ ସମ୍ପର୍କରେ ଅବଗତ କରାଇଥିଲେ । ବ୍ୟାଙ୍କ ରୁଣ ବା ଉଧାର ନୀତି ନିୟମ , ସଠିକ ପରିଚାଳନା , ଏ.ଟି.ଏମ୍ କାର୍ଡର ସୁପରିଚାଳନା , ସରକାରୀ ଯୋଜନା ତଥା ସଞ୍ଚୟ ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା । ନୂତନ କରି ଯୋଗ ଦେଇଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ମୋହନ ଏମ୍ ମୁଖ୍ୟ ଅତିଥ ଭାବେ ଯୋଗ ଦେଇ ବିତ୍ତିୟ ସାକ୍ଷରତା କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ ବସନ୍ତ କୁମାର ପାତ୍ର , ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ମହେଶ୍ବର ଗୌଡ , ନାବାର୍ଡର ଜିଲ୍ଲା ପ୍ରାଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା , ସହକାରୀ ଜିଲ୍ଲାପାଳ ଈଶାନି ପଣ୍ଡା , ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଢେଙ୍କାନାଳର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ସନ୍ଦିପ ରଂଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଢେଙ୍କାନାଳ ଆଞ୍ଚଳିକ କାର୍ଯ୍ୟାଳୟର ବିତ୍ତିୟ ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ଥାନୀୟ ଶାଖାର ପରିଚାଳିକା ଶ୍ରୀମତୀ ଭାନୁପ୍ରିୟା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।



