ମଣିପୁରରେ ହିଂସା ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଆପ୍ ର ବିକ୍ଷୋଭ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି।
ପ୍ରାୟ ୩ ମାସ ହେଲା ମଣିପୁରରେ ଯେଉଁ ହିଂସା ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ନୈତିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ କର୍ମୀମାନେ ମତ ରଖିଥିଲେ। ମଣିପୁରରେ ହିଂସାକାଣ୍ଡ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ୮ଟି ଦେଶ ବିଦେଶରେ ଭ୍ରମଣ କରୁଥିବା ବେଳେ ଭାରତରେ ୭ଟି ରାଜ୍ୟ ଭ୍ରମଣ କରି ନିର୍ବାଚନୀ ଭାଷଣ ଦେଇଥିଲେ l ଅଥଚ ଦେଶ ଭିତରେ ହିଂସାକାଣ୍ଡ ଚାଲିଥିଲା ଏବଂ ମହିଳାମାନଙ୍କୁ ଗଣବଳତ୍କାର କରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଉଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଘଟଣାବଳୀ ଭାରତର ଛବିକୁ ବିଶ୍ୱ ଦରବାରରେ ଘୁଣିତ କରିଛି l ଏହି ପରି ସ୍ପର୍ଶକାତର ଘଟଣା ଉପରେ ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ କୌଣସି ଟିପ୍ପଣୀ ନଦେଇ ତଥା ପଦକ୍ଷେପ ନେଇ ନଥିବାରୁ ସାରା ଦେଶରେ ଅସନ୍ତୋଷ ସୃଷ୍ଟି ହୋଇଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ବେଳେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ବରେ ପାର୍ଟି କାର୍ଯ୍ୟକର୍ତ୍ତା ମାନେ ଦଳ କାର୍ଯ୍ୟାଳୟ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ବିକ୍ରମ ରାଉତ, ରମେଶ ଚନ୍ଦ୍ର ପଣ୍ଡା, ବିଭୁ ରଞ୍ଜନ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ସଂଗଠନ ସମ୍ପାଦକ ବିଧୁଭୁଷଣ ନାୟକ, ସଦର ନିର୍ବାଚନ ମଣ୍ଡଳୀ ସମ୍ପାଦକ ଚିନ୍ମୟ ସେନାପତି, ମହିଳା ନେତ୍ରୀ ସଂଯୁକ୍ତା ମହାପାତ୍ର, କ୍ୟାରୋଲିନ ପାଳ, ରଚିତା ନାଏକ, ସୁଚିତ୍ରା ନାୟକ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ସନ୍ତୋଷ ଖୁଣ୍ଟିଆ, ପିତାମ୍ବର ଦାଶଙ୍କ ସହ ଶତାଧିକ କର୍ମୀ ଭାଗ ନେଇଥିଲେ।




