ଭୂବନେଶ୍ୱର, ୨୯/୦୧ : ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ଅବସର। ଆଜିର ସମୟରେ ଓଡ଼ିଶାର ଜିଡ଼ିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ । ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି ।ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟରେ ରେଳପଥ,ସଡ଼କପଥ ଓ ପୋର୍ଟ ସେକ୍ଟରର ବିକାଶ କରାଯାଉଛି । ଯଦ୍ଵାରା କି ଆଜି ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି ।ଏହା ସମ୍ପୃକ୍ତ ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ କରିବ । ଏହି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଉଦ୍ୟୋଗୀମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ଉତ୍ସାହିତ କରିଛି । ଓଡ଼ିଶା ପ୍ରାକୃତିକ ସମ୍ବଳ ଓ ଖଣିଜ ସମ୍ପଦରେ ଭରପୂର । ଏସବୁର ସଠିକ ଉପଯୋଗରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।



