ମସ୍କୋ: ଋଷିଆର କୁର୍ସ୍କର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ହେଲିକପ୍ଟରରେ ତଦାରଖ କରିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିମାନକୁ ଏକ ୟୁକ୍ରେନୀୟ ଡ୍ରୋନ୍ ଟାର୍ଗେଟ କରିଥିଲା।
ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ବିମାନ ପାଖରେ ଡ୍ରୋନ ପହଞ୍ଚିବା ପୂର୍ବରୁ ହିଁ ଋଷିଆନ ବାୟୁ ପ୍ରତିରକ୍ଷା ସିଷ୍ଟମ ଡ୍ରୋନକୁ ନଷ୍ଟ କରିଦେଇଥିଲା।
ଗତ ଏପ୍ରିଲ ମାସରେ ମସ୍କୋ ୟୁକ୍ରେନୀୟ ସେନାଙ୍କୁ ସେଠାରୁ ବିତାଡିତ କରିବାର ଘୋଷଣା କରିବା ପରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ବିମାନକୁ ଜାଣିଶୁଣି ଆକ୍ରମଣ କରାଯାଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଉଡାଣ ସମୟରେ ଏକ ଡ୍ରୋନ ପାଖକୁ ଆସୁଥିବାର ଚିହ୍ନଟ କରାଯାଇଥିଲା ଓ କୌଣସି ଅଘଟଣ ହେବା ପୂର୍ବରୁ ଏହାକୁ ତୁରନ୍ତ ନିଷ୍କ୍ରିୟ କରି ଦିଆ ଯାଇଥିଲା ବୋଲି ମଧ୍ୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।ଏହି ଆକ୍ରମଣ ରେ କୌଣସି ଆହତ କିମ୍ବା କ୍ଷୟକ୍ଷତି ର ରିପୋର୍ଟ ମିଳିନାହିଁ।ବର୍ତ୍ତମାନ୍ ସୁଦ୍ଧା ଏହି ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ୟୁକ୍ରେନର ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ।



