ଭୁବନେଶ୍ୱର, ୧୭/୦୮ : ଆକ୍ରମଣର ଶିକାର ହୋଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ପୂର୍ବ ବିବାଦକୁ କେନ୍ଦ୍ର କରି ବିଧାୟକଙ୍କୁ ମାଡ଼ ମାରିଛନ୍ତି କୋରାପୁଟ ଖଲାସି ସଂଘର ପୂର୍ବତନ ସଭାପତି କୃଷ୍ଣ କୁଲଦୀପ । ବିଧାୟକଙ୍କ ପିଏସ୍ ଏବଂ ସହଯୋଗୀଙ୍କ ପ୍ରତି ଆକ୍ରମଣରେ କୃଷ୍ଣ ମଧ୍ୟ ଆହତ ହୋଇଛନ୍ତି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ କୃଷ୍ଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗକୁ ନେଇ କୋରାପୁଟ ଟାଉନ୍ ଥାନା ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କୁ ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ମଶାଲ ଶୋଭାଯାତ୍ରାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଶୋଭାଯାତ୍ରା ରାୟଗଡ଼ ଛକରୁ ବାହାରି କୋରାପୁଟ ବସ୍ୟାଣ୍ଡରେ ସରିବା ପରେ ବିଧାୟକ ବାହିନୀପତି ଦଳୀୟ କର୍ମକର୍ତ୍ତାଙ୍କ ସହ ଚାହା ପିଇବାକୁ ଯାଉଥିଲେ ।ରାତି ସାଢ଼େ ୮ଟାରେ ବସଷ୍ଟାଣ୍ଡ ପରିସରରେ ଖଲାସି କୃଷ୍ଣ କୁଲଦୀପ ବିଧାୟକଙ୍କ ନିକଟକୁ ଆସି ନମସ୍କାର କରିବା ପରେ ପ୍ରତିକ୍ରିୟାଶୀଳ ହୋଇ ଚାପୁଡ଼ା ମାରିଥିଲେ । ଘଟଣା ପରେ ବିଧାୟକଙ୍କ ପିଏସ୍ ସମେତ ସହଯୋଗୀମାନେ କୃଷ୍ଣକୁ କାବୁ କରି କୋରାପୁଟ ଟାଉନ ଥାନା ଜିମା ଦେଇଥିଲେ । ବିଧାୟକଙ୍କ ପିଏସ୍ଓ ସୁବ୍ରତ ସାସମଲ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କୃଷ୍ଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଅପରପକ୍ଷେ କୃଷ୍ଣ କୁଲଦୀପ ବିଧାୟକ ଏବଂ ତାଙ୍କ ଭାଇଙ୍କ ନାମରେ ପାଲଟା ଏତଲା ଦେଇଛନ୍ତି । ଉଭୟ ପକ୍ଷର ଏତଲା ଅନୁଯାୟୀ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି ।



