କଟକରେ ୮୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମି ବିବାଦର ଅନ୍ତ: ରାଜସ୍ୱ ପର୍ଷଦଙ୍କ ଐତିହାସିକ ରାୟ, ଖାରଜ ହେଲା ଘରୋଇ ଦାବି
- ୪୩ ବର୍ଷ ପରେ ସରକାରଙ୍କ ଖାତାକୁ ଫେରିଲା ୬୨.୭୨ ଏକର ମୂଲ୍ୟବାନ ଜମି
- ଜମିକୁ ନିଜ ଦଖଲକୁ ନେଲେ କଟକ ଜିଲ୍ଲାପାଳ
କଟକ (ନିଜସ୍ୱ ପ୍ରତିନିଧି):
କଟକ ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ୱାର ତହସିଲ ଅଧୀନ ଜଗତପୁର ଗୋଲେଇଛକ ନିକଟସ୍ଥ ତରୋଳ ମୌଜାରେ ଥିବା ୬୨.୭୨ ଏକର ମୂଲ୍ୟବାନ ସରକାରୀ ଜମି ଉପରେ ଦୀର୍ଘ ୪୩ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇର ଅବସାନ ଘଟିଛି। ଏହି ଜମି ଉପରେ ଘରୋଇ ବ୍ୟକ୍ତିବିଶେଷଙ୍କ ଦାବିକୁ ଅଗ୍ରାହ୍ୟ କରି ରାଜସ୍ୱ ପର୍ଷଦ ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପ୍ରାୟ ୮୦୦ କୋଟି ଟଙ୍କାରୁ ଅଧିକ ବଜାର ମୂଲ୍ୟ ଥିବା ଏହି ବିରାଟ ଭୂସମ୍ପତ୍ତିକୁ ସରକାରୀ ଖାତାରେ “ଆବାଦ ଯୋଗ୍ୟ ଅନାବାଦୀ” ଭାବେ କାଏମ ରଖିବା ସହ କଟକ ଜିଲ୍ଲାପାଳ ଏହାକୁ ନିଜ ପ୍ରଶାସନିକ ଦଖଲକୁ ନେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୧୯୪୫ ମସିହାର ଏକ ପୁରୁଣା ଲିଜ୍ ଦଲିଲ ଆଧାରରେ ଝୋଟକଳ ପ୍ରତିଷ୍ଠା ନାଁରେ କିଛି ଘରୋଇ ପକ୍ଷ ଏହି ଜମି ଉପରେ ସ୍ଥାୟୀ ସ୍ୱତ୍ୱ ଦାବି କରିଆସୁଥିଲେ। ମାତ୍ର ରାଜସ୍ୱ ପର୍ଷଦ ନଭେମ୍ବର ୩ ତାରିଖରେ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବତନ ଜମିଦାରଙ୍କ ବିଧବାଙ୍କର ସମ୍ପତ୍ତିକୁ ସ୍ଥାୟୀ ଭାବେ ହସ୍ତାନ୍ତର କରିବାର କୌଣସି ଆଇନଗତ ଅଧିକାର ନଥିଲା। ଏଥିସହିତ ପୁରୁଣା ପଟ୍ଟା କିମ୍ବା ଖଜଣା ରସିଦ କେବେହେଲେ ରୟତି ମାଲିକାନା ସୃଷ୍ଟି କରେନାହିଁ। ସରଜମିନ୍ ତଦନ୍ତରେ ସେଠାରେ କୌଣସି ଝୋଟକଳ କିମ୍ବା ଚାଷ କାର୍ଯ୍ୟ ହେଉନଥିବା ସ୍ପଷ୍ଟ ହେବା ପରେ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ଅନୁଯାୟୀ ଏହି ଦାବିକୁ ଅଦାଲତ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ସିଏମସି ଅଞ୍ଚଳରେ ଥିବା ଏହି ବିଶାଳ ଭୂଖଣ୍ଡ ଆଗାମୀ ଦିନରେ ବୃହତ ଜନକଲ୍ୟାଣ ତଥା ସହରର ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ ହେବ ବୋଲି ଜଣାପଡ଼ିଛି।
