*କୋଟିଆ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା ; କୋଟିଆ ବିବାଦର ସମାଧାନ ନିମନ୍ତେ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ*
– *ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ଉପରେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ*
– *ଆଡଭୋକେଟ୍ ଜେନେରାଲ୍ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ*
ଭୁବନେଶ୍ୱର, ଅକ୍ଟୋବର ୨୧ :
ଆଜି ଆଭାସୀ ମାଧ୍ୟମରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଞ୍ଚାୟତ ପ୍ରସଙ୍ଗରେ ବିସ୍ତୁତ ସମୀକ୍ଷା କରିଛନ୍ତି l ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ପ୍ରସଙ୍ଗରେ ରାଜ୍ୟର ସ୍ଵାର୍ଥ ରକ୍ଷା ଉଦ୍ଦେଶ୍ଯରେ ଆଇନଗତ ଦୃଷ୍ଟିକୋଣରୁ ସମୁଚିତ ପଦକ୍ଷେପ ନେବା ଦିଗରେ ଓଡ଼ିଶାର ମହାଧିବକ୍ତା ଶ୍ରୀ ପୀତାମ୍ବର ଆଚାର୍ଯ୍ୟଙ୍କ ସହ ସବିଶେଷ ଆଲୋଚନା କରିବା ସହ ପରାମର୍ଶ ଲୋଡିଛନ୍ତି l ଏହି ପରିପ୍ରେକ୍ଷୀରେ, ବିବାଦର ସମାଧାନ ପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ତ୍ୱରାନ୍ୱିତ କରିବା ଏବଂ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l
ସୂଚନାଯୋଗ୍ୟ ଯେ, ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମ ପଞ୍ଚାୟତର କେତେକ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ନିମନ୍ତେ ଘୋଷଣାନାମା ପ୍ରକାଶ କରିଛନ୍ତି l ଏ ସଂକ୍ରାନ୍ତରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଅବଗତ ହେବା ମାତ୍ରେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ନିମନ୍ତେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି l ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, କୋଟିଆ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ସହିତ ରାଜ୍ୟର ଆଇନଗତ ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରିବା ରାଜ୍ୟସରକାରଙ୍କ ପ୍ରାଥମିକତା l ଏହି ଦୀର୍ଘକାଳୀନ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି l
ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ଗ୍ରାମଗୁଡିକୁ ନେଇ ରହିଥିବା ଏହି ବିବାଦ ଦୀର୍ଘବର୍ଷ ଧରି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଓ ଆଇନଗତ ପ୍ରକ୍ରିୟାର ବିଷୟ ହୋଇରହିଛି। ୨୦୦୬ ମସିହାରେ ଆନ୍ତଃରାଜ୍ୟ ସୀମା ବିବାଦରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ଦ୍ୱାରା ଦାୟର କେଶ୍ ସର୍ବୋଚ୍ଚ ନ୍ଯାୟାଳୟରେ ଖାରଜ ହେବା ପରେ ଏହା ଉପରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଓ କ୍ଯୁରେଟିଭ୍ (ସଂଶୋଧନ) ପିଟିସନ୍ ମଧ୍ୟ ଖାରଜ ହୋଇଥିଲା। ମାତ୍ର ତୁରନ୍ତ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଦୀର୍ଘ ଷୋହଳ ବର୍ଷ ବ୍ୟବଧାନରେ ୨୦୨୨ ମସିହାରେ ତତ୍କାଳୀନ ସରକାର ପୁନଶ୍ଚ ଆଉ ଏକ କେସ ଦାଖଲ କରିଥିଲେ ; ଯାହା ଏବେ ବିଚାରଧୀନ ରହିଅଛି। ପୁନଶ୍ଚ ୨୦୨୧ ମସିହା ଫେବୃଆରୀରେ ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବାନେଇ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା। ଏହାକୁ ନେଇ ଓଡ଼ିଶା ପକ୍ଷରୁ ମାନ୍ୟବର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ସମ୍ପର୍କିତ ଆବେଦନ ଦାଖଲ କରାଯାଇଥିଲା। ଏହି କେସ ସବୁ ଅଦାଲତରେ ବିଚାରଧୀନ ଥିବା କାରଣରୁ ଆଇନଗତ ଦିଗରୁ ସମସ୍ତ ଜରୁରୀ ପଦକ୍ଷେପ ନେବାକୁ ମହାଧିବକ୍ତାଙ୍କୁ ଦାୟିତ୍ୱ ଦିଆଯିବା ସହ ତାଙ୍କୁ ସମସ୍ତ ଆବଶ୍ୟକ ଦଲିଲପତ୍ର ଯୋଗାଇବା ସହ ସହଯୋଗ କରିବା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୋରାପୁଟ୍ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ଏକ ସମ୍ବେଦନଶୀଳ ଓ ଆଇନଗତ ପ୍ରସଙ୍ଗ ହୋଇଥିବାରୁ ଏହାର ସମାଧାନ ପାଇଁ ଆଇନଗତ ତଥ୍ୟ, ଐତିହାସିକ ଦଲିଲ, ଜନଗଣନା ତଥ୍ୟ ଓ ପ୍ରଶାସନିକ ରେକର୍ଡ ଆଧାରରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏଣୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗ, ଆଇନ ବିଶେଷଜ୍ଞ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ବିବାଦର ଶୀଘ୍ର, ସ୍ଥାୟୀ ଓ ସାମ୍ବିଧାନିକ ସମାଧାନ ପାଇଁ ଆଇନଗତ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବା ସହ କୋଟିଆ ଅଞ୍ଚଳର ଲୋକଙ୍କ ନିକଟରେ ସରକାରୀ ସେବା, ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ମୌଳିକ ସୁବିଧା ନିରବଚ୍ଛିନ୍ନ ଭାବେ ପହଞ୍ଚାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଗଠିତ କମିଟି ନିୟମିତ କୋଟିଆ ଗସ୍ତକରି ସେଠାରେ ଉନ୍ନୟନ କାର୍ଯ୍ଯର ସମୀକ୍ଷା କରୁଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମାନ୍ୟବର ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକରେ ଓଡ଼ିଶାର ମହାଧିବକ୍ତା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ, କୋରାପୁଟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ସମ୍ପୃକ୍ତ ବିଭାଗ ତଥା କୋରାପୁଟ ଜିଲ୍ଲାର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l
