ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ର ପ୍ରଭାବ: ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ନଭେମ୍ବର ୧୪ ଯାଏଁ ବୃଦ୍ଧି
ଭୁବନେଶ୍ୱର, ୦୬.୧୧.୨୦୨୬:ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ର ପ୍ରଭାବ ଯୋଗୁଁ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ସାଧାରଣ ଭାବେ ପ୍ରଭାବିତ ହୋଇଛି। ବାତ୍ୟା ପରବର୍ତ୍ତୀ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଏହି ଦୁଇ ଜିଲ୍ଲାରେ ଚାଲିଥିବା ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପଡ଼ିଛି।
ଏହି ପରିସ୍ଥିତିକୁ ବିଚାରକୁ ନେଇ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଘରକୁ ଘର ସର୍ଭେରେ ସଠିକ୍ ଓ ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ସର୍ଭେ କାର୍ଯ୍ୟର ସମୟସୀମା ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସର୍ଭେ କାର୍ଯ୍ୟ ନଭେମ୍ବର ୭ ତାରିଖ ସୁଦ୍ଧା ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।
ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଭେ କାର୍ଯ୍ୟରେ ନିୟୋଜିତ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରି ସଂଶୋଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।
ତେବେ, ଏହି ସମୟସୀମା ବୃଦ୍ଧି କେବଳ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ ଲାଗୁ ହେବ। ଅନ୍ୟ ସମସ୍ତ ଜିଲ୍ଲା ପାଇଁ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ଓ ସର୍ଭେ ସମ୍ପର୍କିତ ସମୟସୀମା ଅର୍ଥାତ ୦୭ ନଭେମ୍ବର ଯାଏ ଅପରିବର୍ତ୍ତିତ ରହିବ।
