Spread the love

୧୫ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ପଦ୍ମାଳୟା : ତାଳଚେର

ତାଳଚେର, ୨୭/୧୦ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଗଣପର୍ବ ମା ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଅଛି । ମା’ଧନଦାତ୍ରୀଙ୍କ ଧରାବତରଣ ଅବସରରେ ଦେଉଳଛକ ଠାରୁ ବାଉଁଶଗାଡ଼ିଆ ସାହି ପର୍ଯ୍ୟନ୍ତ ୧୫ଟି ମେଢ଼ରେ ମା ମହାଲକ୍ଷ୍ମୀଙ୍କର ମୃଣ୍ମୟୀ ପ୍ରତିମାକୁ ପୂଜା କରାଯାଉଛି । ରବିବାର ଦିନ କୁମାର ପୂର୍ଣ୍ଣିମା ଅବସରରେ ଚାରୋଟି ମଣ୍ଡପରେ ମା’ଙ୍କ ପୂଜର୍ଚ୍ଚନା କରା ଯାଇଥିବାବେଳେ ସୋମବାର ଦିନ ଅବଶିଷ୍ଟ ୧୧ଟି ମଣ୍ଡପରେ ମା ପଦ୍ମାଳୟାଙ୍କର ପୂଜା ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଅଛି । ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ଏକ ଭବ୍ୟ ଶୋଭାଯାତ୍ରାରେ ବାଉଁଶଗାଡ଼ିଆ ନିକଟସ୍ଥ ପୋଖରୀରୁ ପବିତ୍ର ଜଳ ଆଣି ନିର୍ଦ୍ଧାରିତ ପୂଜା ମଣ୍ଡପ ଗୁଡ଼ିକରେ ସ୍ଥାପନ କରିଥିଲେ । ତାପରେ ମା’ ମହାଲକ୍ଷ୍ମୀଙ୍କ ପୂଜା ପାରମ୍ପରିକ ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଥିଲା । ବାଉଁଶଗାଡ଼ିଆ ସାହି ଲକ୍ଷ୍ମୀପୂଜା କମିଟି, ବଡ଼ଠାକୁର ସାହି, ପଦ୍ମପାଦ ଲକ୍ଷ୍ମୀପୂଜା କମିଟି, ପିଢ଼ସାହି, ଏମ୍‌ଏଲ୍‌ଏ ଛକ, ନାଏକ ସାହି, ଗୋଚ୍ଛାୟତ ସାହି, ନୀଳାଚଳ ପୂଜା କମିଟି, ବ୍ୟାଙ୍କ ଛକ, ବୁଢ଼ାବୁରୀ ସାହି, ବଡ଼ଦାଣ୍ଡ ସାହି, ଚାରଗାଡ଼ିଆ, ସୁପର୍ ମାର୍କେଟ, ଦେଉଳଛକ, କାଳୀକାପ୍ରସାଦ ଲକ୍ଷ୍ମୀପୂଜା କମିଟି, ପୁରୁଣାସାହି କଦମ୍ବ ଛକ, ପୁରୁଣାସାହି ଗଜଲକ୍ଷ୍ମୀ ପୂଜା କମିଟି, କଳମଛୁଇଁ କଦମ୍ବ ଛକ ପ୍ରମୁଖ ୧୫ଟି ମଣ୍ଡପରେ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଛ । ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଭାବରେ ସଜ୍ଜା ଯାଇଥିବା ବେଳେ ଅତ୍ୟାଧୁନିକ ଏଲ୍‌ଇଡ଼ି ଲାଇଟଯୁକ୍ତ ସୁଉଚ୍ଚ ବିଦ୍ୟୁତ ତୋରଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରୁଛି । ଚଳିତ ବର୍ଷ ପୁରୁଣା ସାହି କଦମ୍ବ ଛକରେ ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କର ସମସ୍ତ ଅଳଙ୍କାର ରୂପାରେ ନିର୍ମାଣ କରାଯାଇଥିବା ବେଳେ ଏହା ଭକ୍ତମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛ । ସନ୍ଧ୍ୟାରେ ଭକ୍ତମାନେ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ପୂଜାର ଭରପୂର ମଜା ନେଉଛନ୍ତି । ବିଭିନ୍ନ ପୂଜା ମଣ୍ଡପମାନଙ୍କ ପାଖରେ ଦୋଳି, ମୀନାବଜାର, ମନୋହରି ଦୋକାନ, ଫାଷ୍ଟଫୁଡ ଦୋକାନମାନ ଖୋଲାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ନଭେମ୍ବର ମାସ ୪ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କଳମଛୁଇଁ କେନ୍ଦ୍ରୀୟ ଲକ୍ଷ୍ମୀପୂଜା କମିଟିର ସଭାପତି ଗଗନ ବିହାରୀ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *