Spread the love

ଆସନ୍ତାବର୍ଷ ଓଡ଼ିଶାରେ ହେବ ‘ଇଣ୍ଡିଆ କେମ୍‌’! କେନ୍ଦ୍ରର ସହମତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଅଢ଼େଇ ବର୍ଷରୁ କମ୍‌ ସମୟରେ ୩.୫୨ ଲକ୍ଷ କୋଟିର ନିବେଶ, କେମିକାଲ୍‌ ଶିଳ୍ପର ପ୍ରମୁଖ କେନ୍ଦ୍ର ହେବ ଓଡ଼ିଶା

ଭୁବନେଶ୍ୱର, ୨୩ା୧୦: ଓଡ଼ିଶାର ଶିଳ୍ପାୟନକୁ ଆହୁରି ଗତି ଦେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଆସନ୍ତାବର୍ଷ ଦେଶର ପ୍ରମୁଖ ଶିଳ୍ପ ସମ୍ମିଳନୀ ‘ଇଣ୍ଡିଆ କେମ୍‌’ ଓଡ଼ିଶାରେ ଆୟୋଜନ କରିବାକୁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ରାଜ୍ୟରେ ନୂଆ ନିବେଶ ଆକର୍ଷଣ ସହ କେମିକାଲ୍‌ ଓ ପେଟ୍ରୋକେମିକାଲ୍‌ ଶିଳ୍ପର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

ମୁମ୍ବାଇର ବମ୍ବେ ଏକ୍‌ଜିବିସନ୍‌ ସେଣ୍ଟରଠାରେ ଗୁରୁବାର ଉଦ୍‌ଘାଟିତ ‘ଇଣ୍ଡିଆ କେମ୍‌ ୨୦୨୬’ର ୧୪ତମ ସଂସ୍କରଣରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ସମ୍ମିଳନୀରେ ସେ ଓଡ଼ିଶାକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍‌ ଓ ପେଟ୍ରୋକେମିକାଲ୍‌ ଶିଳ୍ପଭିତ୍ତିକ ଅର୍ଥନୀତି ଆଡ଼କୁ ଆଗେଇ ନେବାର ସଂକଳ୍ପ ଦୋହରାଇଛନ୍ତି।

୨୦୪୦ ସୁଦ୍ଧା ୧ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ଓଡ଼ିଶାର ଭୂମିକା

୨୦୪୦ ସୁଦ୍ଧା ଭାରତର କେମିକାଲ୍‌ ଅର୍ଥନୀତିକୁ ୧ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟର ପ୍ରଚୁର ଖଣିଜ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି ଓ ନିବେଶ ଅନୁକୂଳ ପରିବେଶକୁ ଉପଯୋଗ କରି ଏହି ପରିବର୍ତ୍ତନ ଅଣାଯିବ।

ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦର ରାଜ୍ୟକୁ ଦେଶୀୟ ଏବଂ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ। ପାରାଦୀପରେ ଥିବା ପେଟ୍ରୋଲିୟମ୍‌, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ଇନ୍‌ଭେଷ୍ଟମେଣ୍ଟ ରିଜନ୍‌ (PCPIR), ଇଣ୍ଡିଆନ୍‌ ଅଏଲ୍‌ର ରିଫାଇନାରୀ ଓ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ଏବଂ ପ୍ଲାଷ୍ଟିକ୍‌ ପାର୍କକୁ ଆଧାର କରି ଅନେକ ଅନୁଷଙ୍ଗିକ ଶିଳ୍ପର ବିକାଶ ହୋଇପାରିବ। ପଲିମର, ପ୍ୟାକେଜିଂ ଓ ଟେକ୍ନିକାଲ୍‌ ଟେକ୍ସଟାଇଲ୍ସ କ୍ଷେତ୍ରରେ ଏହା ନୂଆ ସୁଯୋଗ ସୃଷ୍ଟି କରିବ।

ତାଳଚେରରୁ ଗୋପାଳପୁର, ନୂଆ ଶିଳ୍ପ ସମ୍ଭାବନା

ଗୋପାଳପୁରରେ ରେଫ୍ରିଜରେଣ୍ଟ୍‌, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ ଉତ୍ପାଦନ ସହ ଜଡ଼ିତ ନିବେଶ ସୁଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏଥିସହ ତାଳଚେର ଓ ଲଖନପୁରରେ କୋଇଲା ଗ୍ୟାସୀକରଣଭିତ୍ତିକ ପ୍ରକଳ୍ପ ମାଧ୍ୟମରେ ନୂଆ ଶିଳ୍ପର ବିକାଶ ସମ୍ଭବ ହେବ।

ଏହି ପ୍ରକଳ୍ପଗୁଡ଼ିକ ଦେଶର ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା ସହ ରାସାୟନିକ ଓ ପେଟ୍ରୋକେମିକାଲ୍‌ ଉତ୍ପାଦନର ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଭାଗୀଦାରି ବଢ଼ାଇବ ବୋଲି ସେ କହିଛନ୍ତି।

୨୨.୫୦ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ

ରାଜ୍ୟର ଶିଳ୍ପାୟନର ଅଗ୍ରଗତି ସମ୍ପର୍କରେ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଢ଼େଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଓଡ଼ିଶାରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି। ଏଥିରେ ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି।

ରାଜ୍ୟକୁ ମୋଟ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ମିଳିଥିବାବେଳେ ସେଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରସ୍ତାବକୁ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (HLCA) ଅନୁମୋଦନ ଦେଇଛନ୍ତି।

ସେହିପରି, ସେପ୍ଟେମ୍ବର ୨୦୨୬ରେ ୟୁଏଇରେ ଆୟୋଜିତ ନିବେଶକ ସମ୍ମିଳନୀରୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା। ଏଥିରେ ଇଣ୍ଟରନ୍ୟାସନାଲ୍‌ ହୋଲ୍ଡିଂ କମ୍ପାନୀ (IHC)ର ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ସାମିଲ ରହିଥିଲା। ଏହି ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅନେକ କେମିକାଲ୍ସ, ପେଟ୍ରୋକେମିକାଲ୍ସ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସହ ସମ୍ପୃକ୍ତ।

ଶିଳ୍ପପତିଙ୍କୁ ନିବେଶ ପାଇଁ ଆହ୍ୱାନ

ଓଡ଼ିଶାର ଶିଳ୍ପ ନୀତି, ଭିତ୍ତିଭୂମି, ଦକ୍ଷ ଶ୍ରମଶକ୍ତି ଓ ପ୍ରତିଷ୍ଠାନିକ ସହଯୋଗ ବ୍ୟବସ୍ଥା ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି (ICT) ଏବଂ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CIPET) ଭଳି ଅନୁଷ୍ଠାନ ମଧ୍ୟ ଏହି କ୍ଷେତ୍ରରେ ବୈଷୟିକ ଓ ଦକ୍ଷତା ବିକାଶ ସହଯୋଗ ଯୋଗାଇବେ।

ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ।

ଆସନ୍ତାବର୍ଷ ଓଡ଼ିଶାରେ ‘ଇଣ୍ଡିଆ କେମ୍‌’ ଆୟୋଜନ ପ୍ରସ୍ତାବରେ କେନ୍ଦ୍ରର ସହମତି ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଏହା ମାଧ୍ୟମରେ ଦେଶ-ବିଦେଶର ଶିଳ୍ପପତିଙ୍କୁ ଓଡ଼ିଶାର ନିବେଶ ସମ୍ଭାବନା ସହ ପରିଚିତ କରାଇବା ଏବଂ ନୂଆ ଶିଳ୍ପ ଓ ନିଯୁକ୍ତି ସୃଷ୍ଟିକୁ ଆଗକୁ ବଢ଼ାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *