କକପିଟ୍ରେ ଛୁରୀ ଆକ୍ରମଣ, ରକ୍ତାକ୍ତ କ୍ୟାପ୍ଟେନ୍ ତଥାପି ଛାଡ଼ିଲେନି ନିୟନ୍ତ୍ରଣ
ଦୁବାଇ: ଉଡ଼ାଣ ମଝିରେ କକପିଟ୍ରେ ଛୁରୀ ଆକ୍ରମଣ। ରକ୍ତାକ୍ତ ହେଲେ ମଧ୍ୟ ହାର ମାନିଲେନି କ୍ୟାପ୍ଟେନ୍। ଦୁବାଇରୁ ଇସ୍ରାଏଲର ତେଲ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା ଏକ ଘଟଣାକୁ ନେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଇସ୍ରାଏଲୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିମାନର କ୍ୟାପ୍ଟେନ୍ ଭାରତୀୟ ମୂଳର। ଉଡ଼ାଣ ସମୟରେ ଓମାନର କୋ-ପାଇଲଟ୍ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହେବା ସତ୍ତ୍ୱେ କ୍ୟାପ୍ଟେନ୍ ଆକ୍ରମଣକାରୀଙ୍କ ସହ ମୁକାବିଲା କରିଥିଲେ।
ଘଟଣା ସମୟରେ ବିମାନରେ ଡ୍ୟୁଟିରେ ନଥିବା ଅନ୍ୟ କିଛି ପାଇଲଟ୍ ଯାତ୍ରୀ ଭାବେ ଉପସ୍ଥିତ ଥିଲେ। ସ୍ଥିତି ଗମ୍ଭୀର ହେବା ପରେ ସେମାନେ କକପିଟ୍ରେ ପହଞ୍ଚି ବିମାନର ନିୟନ୍ତ୍ରଣ ସମ୍ଭାଳିଥିବା ଜଣାପଡ଼ିଛି। ପରେ ବିମାନକୁ ସାଉଦି ଆରବର ତାବୁକ୍ରେ ଜରୁରୀ ଅବତରଣ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
ବିମାନରେ ୧୮୦ରୁ ଅଧିକ ଯାତ୍ରୀ, ଯେଉଁଥିରେ ପ୍ରାୟ ୨୭ ଜଣ ଶିଶୁ ଥିବା ଦାବି କରାଯାଇଛି। ଜଣେ ଯାତ୍ରୀଙ୍କ ବର୍ଣ୍ଣନା ଅନୁସାରେ, କକପିଟ୍ ଭିତରେ ରକ୍ତ ଦେଖିବା ପରେ ବିମାନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରେ କିଛି ଯାତ୍ରୀ କକପିଟ୍କୁ ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରିଥିବା ଦାବି ହୋଇଛି।
ଘଟଣାକୁ ନେଇ ଇସ୍ରାଏଲୀ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ଗମ୍ଭୀର ଆଶଙ୍କା ପ୍ରକାଶ କରାଯାଇଛି। ବିମାନକୁ ହାଇଜାକ୍ କରିବା କିମ୍ବା ଅନ୍ୟ କୌଣସି ବଡ଼ ଆକ୍ରମଣ ଉଦ୍ୟମ ହୋଇଥିଲା କି ନାହିଁ, ତାହା ତଦନ୍ତ କରାଯାଉଛି।
ବିଶେଷକରି ଓମାନର କୋ-ପାଇଲଟ୍ଙ୍କୁ ଇସ୍ରାଏଲ ଯାଉଥିବା ଏହି ବିମାନରେ କିପରି ଡ୍ୟୁଟି କରିବାକୁ ଅନୁମତି ମିଳିଲା, ସେନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।
ତେବେ ଘଟଣାର ପ୍ରକୃତ କାରଣ, ଆକ୍ରମଣର ଉଦ୍ଦେଶ୍ୟ ଏବଂ ଏହା ହାଇଜାକ୍ ଉଦ୍ୟମ ଥିଲା କି ନାହିଁ—ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ସ୍ପଷ୍ଟ ହେବ।
