Spread the love

### ନ୍ୟାୟିକ ଅଧିକାରୀଙ୍କ ପ୍ରଶିକ୍ଷଣରେ ଆସିବ ନୂଆ ବ୍ୟବସ୍ଥା, ଏକ ବର୍ଷ ରହିବ ଲ’ କ୍ଲର୍କସିପ୍

ନ୍ୟାୟିକ ସେବା ନିୟମାବଳୀ-୨୦୦୭ରେ ସଂଶୋଧନ ପାଇଁ ନିଷ୍ପତ୍ତି; ନୂଆ ପ୍ରାର୍ଥୀଙ୍କୁ ମିଳିବ ଅଧିକ ସୁଯୋଗ

ଭୁବନେଶ୍ୱର: ଓଡ଼ିଶାର ନ୍ୟାୟିକ ସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସୁସଂଗଠିତ କରିବା ଲକ୍ଷ୍ୟରେ ପ୍ରଶିକ୍ଷଣରତ ବିଚାର ବିଭାଗୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏଣିକି ଏକ ବର୍ଷର ପ୍ରତିଷ୍ଠାନଗତ ପ୍ରଶିକ୍ଷଣ ପରେ ଆଉ ଏକ ବର୍ଷର ସୁବ୍ୟବସ୍ଥିତ ଆଇନ ସହାୟକ କାର୍ଯ୍ୟ (Law Clerkship) ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି।

ଏହି ଉଦ୍ଦେଶ୍ୟରେ ‘ଓଡ଼ିଶା ଉଚ୍ଚତର ନ୍ୟାୟିକ ସେବା ଓ ଓଡ଼ିଶା ନ୍ୟାୟିକ ସେବା ନିୟମାବଳୀ, ୨୦୦୭’ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ନ୍ୟାୟିକ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରଶିକ୍ଷଣରତ ଅଧିକାରୀମାନେ ପ୍ରଥମେ ଏକ ବର୍ଷର ପ୍ରତିଷ୍ଠାନଗତ ପ୍ରଶିକ୍ଷଣ ଗ୍ରହଣ କରିବେ। ଏହା ପରେ ସେମାନଙ୍କୁ ଆଉ ଏକ ବର୍ଷ ପାଇଁ ସୁବ୍ୟବସ୍ଥିତ ଲ’ କ୍ଲର୍କସିପ୍‌ରେ ନିୟୋଜିତ କରାଯିବ। ଏହା ଦ୍ୱାରା ଆଇନଗତ ଜ୍ଞାନ ସହ ବିଚାର ପ୍ରକ୍ରିୟାର ବ୍ୟବହାରିକ ଅନୁଭୂତି ହାସଲ କରିବାର ସୁଯୋଗ ମିଳିବ।

ଅନ୍ୟପକ୍ଷରେ, ଏହି ସଂଶୋଧନ ଦ୍ୱାରା ନୂତନ ଆଇନ ସ୍ନାତକ ଓ ପ୍ରାର୍ଥୀମାନଙ୍କ ପାଇଁ ଓଡ଼ିଶା ନ୍ୟାୟିକ ସେବାରେ ପ୍ରବେଶ କରିବାର ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ନ୍ୟାୟିକ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି, ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଗୁଣାତ୍ମକ ଉନ୍ନତି ଏବଂ ନୂତନ ପ୍ରତିଭାଙ୍କୁ ନ୍ୟାୟିକ ସେବାରେ ସାମିଲ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *