Spread the love

ମହାନଦୀ ବିବାଦ: ଆଜି ଦିଲ୍ଲୀରେ ବଡ଼ ବୈଠକ, ଶାହଙ୍କ ମଧ୍ୟସ୍ଥତାରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର, ୧/୧୦: ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ହେବାକୁ ଥିବା ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବେ।

ବୈଠକକୁ ନେଇ ଓଡ଼ିଶା ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଶାସକ ଦଳ ଆଲୋଚନା ମାଧ୍ୟମରେ ସମାଧାନର ଆଶା ରଖିଥିବା ବେଳେ ବିରୋଧୀ ଦଳଗୁଡ଼ିକ ଓଡ଼ିଶାର ଜଳସ୍ୱାର୍ଥ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କହିବା ଅନୁଯାୟୀ, ଅମିତ ଶାହଙ୍କ ମଧ୍ୟସ୍ଥତାରେ ଉଭୟ ରାଜ୍ୟ ସରକାର ଆଲୋଚନା ପାଇଁ ରାଜି ଅଛନ୍ତି। ତେଣୁ ବିବାଦର ସମାଧାନ ପାଇଁ ଆଶା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ପୂର୍ବରୁ ମହାନଦୀ ପ୍ରସଙ୍ଗରେ ମାମଲା ଦାଏର କରାଯାଇଥିବା ନେଇ ମଧ୍ୟ ସେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି।

ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସରକାର ଆଲୋଚନାକୁ ନେଇ ସକାରାତ୍ମକ ଅଛନ୍ତି। ମହାନଦୀ ବିବାଦର ସମାଧାନ ପାଇଁ ରାସ୍ତା ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତାଙ୍କ ମତରେ, ପୂର୍ବ ସରକାରଙ୍କ ସମୟରେ ମାମଲା ଟ୍ରିବ୍ୟୁନାଲକୁ ଯିବା ଏବଂ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ହେବା ପ୍ରସଙ୍ଗ ମଧ୍ୟ ବିବାଦର ଗୁରୁତ୍ୱପୂର୍ଣ୍ଣ ଅଂଶ।

ଅନ୍ୟପଟେ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବୈଠକ ପୂର୍ବରୁ ଓଡ଼ିଶାର ପକ୍ଷ ଓ ସର୍ତ୍ତ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। କୌଣସି ଆପୋଷ ବୁଝାମଣାରେ ଓଡ଼ିଶାର ସ୍ୱାର୍ଥ ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ସରକାର ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

କଂଗ୍ରେସ ମଧ୍ୟ ମହାନଦୀ ବିବାଦକୁ ନେଇ ସରକାରଙ୍କୁ ଘେରିଛି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଦୁଇ ବର୍ଷରୁ ଅଧିକ ସମୟ ଧରି ବିଜେପି ସରକାର ରହିଥିଲେ ମଧ୍ୟ ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ସମାଧାନ ବାହାରିନାହିଁ।

ଏବେ ନଜର ରହିଛି ଆଜିର ଆଲୋଚନା ଉପରେ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ମହାନଦୀ ଜଳ ବଣ୍ଟନ ବିବାଦରେ କୌଣସି ସମାଧାନର ସୂତ୍ର ବାହାରୁଛି କି ନାହିଁ, ତାହା ଗୁରୁତ୍ୱ ବହନ କରିବ।

Leave a Reply

Your email address will not be published. Required fields are marked *