*ସାମାଜିକ ଗଣମାଧ୍ୟମରେ ଅଭିଯୋଗର ତ୍ୱରିତ ସମାଧାନ: ୨ ଦିନରେ ୩ ଜିଲ୍ଲାରୁ ୩ଟି ଉଦାହରଣ*
• *ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ତତ୍ପରତା*
*ଭୁବନେଶ୍ୱର:* ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ପକ୍ଷରୁ ଆସୁଥିବା ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ନେଇ ପାନୀୟ ଜଳ ସମସ୍ୟାର ସମାଧାନ କରୁଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। ଗତ ଦୁଇ ଦିନ ମଧ୍ୟରେ ନବରଙ୍ଗପୁର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ସାମାଜିକ ଗଣମାଧ୍ୟମରେ ଆସିଥିବା ତିନୋଟି ଅଭିଯୋଗ ଉପରେ ବିଭାଗର ତ୍ୱରିତ ପଦକ୍ଷେପ ଏହାର ଉଦାହରଣ। ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ସମ୍ପୃକ୍ତ ଅଧିକାରୀଙ୍କ ଜରିଆରେ କ୍ଷେତ୍ରସ୍ତରରେ ପଦକ୍ଷେପ ନିଆଯାଇଛି।
*ନବରଙ୍ଗପୁର ଜିଲ୍ଲାରେ ନଳକୂପ ବିଶୋଧନ ସହ ନୂତନ ନଳକୂପ ସ୍ଥାପନ*
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚକଳାପଦର ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ସମ୍ପର୍କିତ ଅଭିଯୋଗ ଉପରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅଭିଯୋଗ ସମ୍ପର୍କିତ ନଳକୂପକୁ ବିଶୋଧନ କରାଯିବା ସହ ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏଥିସହ ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ ପାଇଁ ହ୍ୟାଣ୍ଡପମ୍ପ୍ଯୁକ୍ତ ଏକ ନୂତନ ନଳକୂପ ସ୍ଥାପନ କରାଯାଇଛି।
*ଯାଜପୁର ଜିଲ୍ଲାରେ ମରାମତି ପରେ କାର୍ଯ୍ୟକ୍ଷମ ହେଲା ନଳକୂପ*
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅଞ୍ଚଳରେ ଏକ ନଳକୂପ ଖରାପ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଆସିଥିଲା। ଏହାକୁ ଭିତ୍ତି କରି ବିଭାଗ ପକ୍ଷରୁ ନଳକୂପଟିର ମରାମତି କରାଯାଇଛି। ମରାମତି ପରେ ନଳକୂପଟି ପୁନର୍ବାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
*କନ୍ଧମାଳ ଜିଲ୍ଲାରେ ବଦଳାଗଲା କ୍ଷତିଗ୍ରସ୍ତ ସୌରଚାଳିତ ଜଳଭଣ୍ଡାର*
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଜୁଡ଼ାବାଲି ଗ୍ରାମ ପଞ୍ଚାୟତର ରିଣ୍ଡାବାଲି ପାଟାଙ୍ଗାପଦର ଗ୍ରାମରେ କ୍ଷତିଗ୍ରସ୍ତ ସୌରଚାଳିତ ଜଳଭଣ୍ଡାରକୁ ନେଇ ଅଭିଯୋଗ ଆସିଥିଲା। ଏହା ଉପରେ ପଦକ୍ଷେପ ନେଇ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଜଳଭଣ୍ଡାରକୁ ବଦଳାଇ ନୂତନ ଜଳଭଣ୍ଡାର ସ୍ଥାପନ କରାଯାଇଛି। ଏହାଦ୍ୱାରା ଗ୍ରାମର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନିଆଯାଇଛି।
ଏହି ତିନୋଟି ଘଟଣା ହେଉଛି ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଭାବେ ଚାଲିଥିବା ଅନେକ ଛୋଟ ଛୋଟ, କିନ୍ତୁ ଜନଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପର କେବଳ କିଛି ଉଦାହରଣ। ଜନସାଧାରଣଙ୍କ ଅଭିଯୋଗ ପ୍ରତି ତ୍ୱରିତ ପ୍ରତିକ୍ରିୟା, ସମସ୍ୟାର ସମାଧାନ ପାଇଁ ତତ୍ପରତା ଏବଂ ଲୋକଙ୍କ ନିକଟରେ ଆବଶ୍ୟକ ସେବା ପହଞ୍ଚାଇବା ମାଧ୍ୟମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉତ୍ତରଦାୟୀ, ସମ୍ବେଦନଶୀଳ ଓ ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧ। ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତୃଣମୂଳ ସ୍ତରରେ ନିରନ୍ତର କାର୍ଯ୍ୟ କରିବା ହେଉଛି ବିଭାଗର ମୂଳ ଲକ୍ଷ୍ୟ।
