Spread the love

ଅନୁଗୋଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ

ବିଧାନସଭା ସମ୍ମୁଖରେ ନିର୍ମିତ ପ୍ରତିମୂର୍ତି ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ହେବ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଅଫିସର ଦଳ ଆସନ୍ତାକାଲି ବାଜିରାଉତ ଛାତ୍ରାବାସ ଆସିବେ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୋଳ ଲାଗି ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଗୋଳ ସ୍ଥିତ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନେବେ । ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଗୁରୁବାର ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ । ଏହି ଅଫିସର ଦଳରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ , ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜକ ଶିଳ୍ପୀ ଜୟନ୍ତ ଦାସ ଅନୁଗୋଳ ଗସ୍ତ କରିବେ ।

ଅନୁଗୋଳଠାରେ ନବକୃଷ୍ଣ ଚୌଧୁରୀଙ୍କ ଯେଉଁ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ସ୍ଥାପନ କରାଯାଇଥିଲା , ତାହାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ହଟାଇ ଦିଆଯାଇଛି । ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଲେ ତାହା ପୁନଃସ୍ଥାପିତ ହେବ । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରାଯିବାକୁ ନିଷ୍ପରି ହୋଇଛି ।

Leave a Reply

Your email address will not be published. Required fields are marked *