Spread the love

ଅନୁଗୋଳରେ ସିକଲ ସେଲ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନର ଶୁଭାରମ୍ଭ
– ଉପକୃତ ହେବେ ୧୭୦୦ରୁ ଉର୍ଦ୍ଧ୍ବ ସିକିଲ୍ ସେଲ୍ ରୋଗୀ

ଅନୁଗୋଳ, ୦୫.୧୦ : ସିକଲ ସେଲ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଗୁରୁତର ସଂକ୍ରମଣରୁ ସୁରକ୍ଷା ଦେବା ଏବଂ ରୋଗଜନିତ ଜଟିଳତା ହ୍ରାସ କରିବା ଉଦ୍ଦେଶ୍ୟରେ ଜିଲ୍ଲାରେ ନିମାକୋକାଲ୍ କଞ୍ଜୁଗେଟ ଟୀକା ଓ ନିମାକୋକାଲ୍ ପାଳିସାକାରାଇଡ଼ ଟୀକା ଟିକାକରଣର ଏକ ସ୍ୱତନ୍ତ୍ର ଅଭିଯାନ ଆଜି ଶୁଭାରମ୍ଭ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଛନ୍ତି। ସିକଲ୍ ସେଲ୍ ରୋଗର ପ୍ରତିହତ ପାଇଁ ସାମାଜିକ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ଏଥିପାଇଁ ଗୋଟିଏ ପରିବାର କିମ୍ବା ବାହକଙ୍କ ମଧ୍ୟରେ ବିବାହ ପ୍ରଥାକୁ ବନ୍ଦ କରିବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହାସହ ଏହି ମହତ୍ ପଦକ୍ଷେପ ଓ ଆନୁଷଙ୍ଗିକ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି,ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ , ଅନୁଗୋଳ ପୌର ପାଳିକାର ଉପାଧ୍ୟକ୍ଷ ଶ୍ରୀମତୀ ଅନୁପମା ସାହୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ ପ୍ରଧାନ, ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର, ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ମଦନ ମୋହନ ପ୍ରଧାନ, PMPMPH ମୁଖ୍ୟ ଡ଼. କୀର୍ତ୍ତିରେଖା ମହାପାତ୍ରଙ୍କ ସମେତ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ଅଭିଯାନ ଅଧୀନରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପକ୍ଷରୁ ୨.୮ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ରାଜ୍ୟରେ ୬୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ପ୍ରାୟ ୧.୨୦ ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୋଳ ଜିଲ୍ଲାରେ ଚିହ୍ନଟ ୧୭୮୫ ସିକଲ୍ ସେଲ୍ ରୋଗୀ ଏହି ଅଭିଯାନ ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ ସୁବିଧା ପାଇବେ। ଏହି ଅଭିଯାନରେ ୬ରୁ ୪୦ ବର୍ଷ ବୟସର ନିଶ୍ଚିତ ସିକଲ ସେଲ ରୋଗୀମାନଙ୍କୁ ସାମିଲ କରାଯିବ । ତେବେ ଗର୍ଭବତୀ ମହିଳା,ଶିଶୁ ମାନେ ଏହି ଅଭିଯାନରୁ ବାଦ ପଡ଼ିବେ । ଏହି ଦୁଇଟି ଟୀକାର ଡୋଜ୍ ୪୦୦୦ ଟଙ୍କାରୁ ଅଧିକ ଥିବା ବେଳେ ଏହା ଦେୟମୁକ୍ତ ଦିଆଯିବ । ଏହି ଅଭିଯାନ ଅନୁଯାୟୀ ପ୍ରଥମେ PCV-13ର ଗୋଟିଏ ଡୋଜ୍ ପ୍ରଦାନ କରାଯିବ । ଏହାର ୮ ସପ୍ତାହ ପରେ PPSV-23ର ଗୋଟିଏ ଡୋଜ୍ ଦିଆଯିବ । ଏହି ଟିକାକରଣ ବ୍ୟବସ୍ଥା ସିକଲ ସେଲ ରୋଗୀମାନଙ୍କୁ ନିମୋକୋକାଲ୍ ସଂକ୍ରମଣରୁ ଅଧିକ ସୁରକ୍ଷା ପ୍ରଦାନ କରିବା ସହ ରୋଗଜନିତ ଜଟିଳତା ହ୍ରାସରେ ସହାୟକ ହେବ । ଦେଶରେ ତୃତୀୟ ରାଜ୍ୟଭାବରେ ଓଡ଼ିଶା ଦେୟମୁକ୍ତ ଭାବେ ଏହି ଟିକାକରଣ ଆରମ୍ଭ କରିଛି । ଜିଲ୍ଲାର ବିଭିନ୍ନ ବ୍ଲକ୍ CHC ଏବଂ UPHC ଗୁଡ଼ିକରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇ ପରିଚାଳନା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *