Spread the love

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପୱାର ପ୍ଲାଣ୍ଟରେ ହୋଇଥିବା ଭୟାବହ ବିସ୍ଫୋରଣର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ଅନୁଗୋଳ ୨୩।୧୦ ଗତ ୧୪ତାରିଖ ଦିନ ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେଶରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ କାରଖାନାର ପ୍ରାୟ ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ଗାଁଗୁଡିକ ଥରାଇ ଦେଇଥିଲା। ସେହି ବିସ୍ଫୋରଣରେ ପ୍ଲାଣ୍ଟ ଭିତରେ ଯେଉଁ ଭଳି ଭାବେ ଅଗ୍ନି ହୁ-ହୁତାସନ ହୋଇ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଜଳୁଥିଲା, ଆଖ ପାଖ ଅଞ୍ଚଳ ଗୁଡ଼ିକରେ ଏକ ଭୟର ବାତାବରଣ ଖେଳି ଯାଇଥିଲା। ଏଭଳି ଭୟଙ୍କର ବିସ୍ଫୋରଣରେ କାରଖାନାରେ ନିଶ୍ଚିତ ଶତାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ କାରଖାନା କର୍ତ୍ତୃପକ୍ଷ ଆଦୌ କ୍ଷୟକ୍ଷତି ହୋଇ ନ ଥିବା କହୁଥିବା ସାଧାରଣରେ ଆଶ୍ଚର୍ଯ୍ୟ ଓ ଜାଣିବା ପାଇଁ କୌତୁହଳ ସୃଷ୍ଟି ହୋଇଛି। ଲୋକଙ୍କ ଭିତରେ ଆଲୋଚନା ହେଉଛି, ବେସରକାରୀ ଆମ୍ବୁଲାନ୍ସ ଯୋଗେ ଆହତ ଓ ମୃତମାନଙ୍କୁ ରାଜ୍ୟ ବାହାରର କୌଣସି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ଏବଂ ରାଜ୍ୟ ବାହାରର ଶ୍ରମିକସବୁ ଥିବାରୁ ବଳପୂର୍ବକ ସେମାନଙ୍କ ସ୍ବରକୁ ଚାପି ଦେବାରେ କାରଖାନା କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ଏଣୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ରହୁଛି। ଏନେଇ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅନୁଗୋଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଦାବିପତ୍ର ଜରିଆରେ ଉପରୋକ୍ତ ଭୟାବହ ବିସ୍ଫୋରଣର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଏହାର ସତ୍ୟାସତ୍ୟ ଜିଲ୍ଲାବାସୀଙ୍କ ଜଣାଇବା ପାଇଁ ଦାବି କରିଛନ୍ତି। ଆଜିର ଏହି ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସନତ କୁମାର ପ୍ରଧାନ, ରାକେଶ ମିଶ୍ର, ସୋହିତ ପ୍ରଧାନ, ବନମାଳୀ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଶମ୍ଭୁ ପ୍ରଧାନ, ସଂଗ୍ରାମ ବେହେରା, କସିଦା ଖାନ, ତ୍ରିଲୋଚନ ସାହୁ, ସହଦେବ ବେହେରା, ବାମଦେବ ସାମଲ, ଗୋବିନ୍ଦ ନାଏକ, ବିରେନ କୁମାର ନାଏକ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *