Spread the love

ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ: ପୁଲିସ ଅଧିକାରୀଙ୍କ ସହ ଆଇନଶୃଙ୍ଖଳା ନେଇ ହୋଇପାରେ ସମୀକ୍ଷା

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଦୁର୍ଗା ମୂର୍ତ୍ତି ବିସର୍ଜନ ସୁରକ୍ଷା ଉପରେ ରହିପାରେ ନଜର

ଭୁବନେଶ୍ୱର, ଅକ୍ଟୋବର ୨୧: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ମଧ୍ୟାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଯୋଗଦେବେ।

ସୂଚନା ଅନୁଯାୟୀ, ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି), ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଏବଂ ଟ୍ୱିନ୍‌ସିଟି ପୁଲିସ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ନଜର

ଆଗାମୀ ଦିନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରସ୍ତୁତି ନେଇ ଆଲୋଚନା ହୋଇପାରେ। ଭିଭିଆଇପିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇପାରେ।

ଅନ୍ୟପଟେ, ଦୁର୍ଗା ମୂର୍ତ୍ତି ବିସର୍ଜନ କାର୍ଯ୍ୟ କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ, ସେନେଇ ମଧ୍ୟ ପୁଲିସ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା ହେବାର ସମ୍ଭାବନା ରହିଛି।

ମୁମ୍ବାଇ ଗସ୍ତ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବାକୁ ଥିବାବେଳେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଅକ୍ଟୋବର ୨୨ରେ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ କାର୍ଯ୍ୟକ୍ରମରେ ସେ ଯୋଗଦେବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଗସ୍ତରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କ ସହ ଯିବେ।

ତେବେ ଆଜିର ବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯିବ, ତାହା ବୈଠକ ଶେଷ ହେବା ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *