Spread the love

ଓଡ଼ିଶାରେ ବଲ୍କ ଡ୍ରଗ୍ ପାର୍କ ପାଇଁ ନାହିଁ କୌଣସି ପ୍ରସ୍ତାବ: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବଲ୍କ ଡ୍ରଗ୍‌ ଉତ୍ପାଦନକୁ ବଢ଼ାଇବା ଏବଂ ଔଷଧ ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଲ୍କ ଡ୍ରଗ୍ ପାର୍କ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ଏହି ଯୋଜନା ଅଧୀନରେ ଓଡ଼ିଶାରେ ବଲ୍କ ଡ୍ରଗ୍ ପାର୍କ ସ୍ଥାପନ ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ରସାୟନ ଓ ସାର ରାଜ୍ୟମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

୩ଟି ରାଜ୍ୟରେ ବଲ୍କ ଡ୍ରଗ୍ ପାର୍କ

୨୦ ମାର୍ଚ୍ଚ ୨୦୨୦ରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବଲ୍କ ଡ୍ରଗ୍ ପାର୍କ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଥିଲା। ଦେଶରେ ୩ଟି ବଲ୍କ ଡ୍ରଗ୍ ପାର୍କ ସ୍ଥାପନ କରି ବିଶ୍ୱସ୍ତରୀୟ ସାଧାରଣ ଭିତ୍ତିଭୂମି ସୁବିଧା ଉପଲବ୍ଧ କରାଇବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ। ଏହା ମାଧ୍ୟମରେ ବଲ୍କ ଡ୍ରଗ୍ ଉତ୍ପାଦନ ଖର୍ଚ୍ଚ କମାଇବା ସହ ଦେଶୀୟ ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି।

ଏହି ଯୋଜନା ଅଧୀନରେ ୧୩ଟି ରାଜ୍ୟରୁ ପ୍ରସ୍ତାବ ମିଳିଥିଲା। ପ୍ରସ୍ତାବଗୁଡ଼ିକର ମୂଲ୍ୟାୟନ ପରେ ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶକୁ ବଲ୍କ ଡ୍ରଗ୍ ପାର୍କ ପାଇଁ ଚୟନ କରାଯାଇଛି।

ଓଡ଼ିଶାକୁ ମିଳିନି ପ୍ରସ୍ତାବ

କେନ୍ଦ୍ରର ସୂଚନା ଅନୁସାରେ, ଓଡ଼ିଶାରେ ବଲ୍କ ଡ୍ରଗ୍ ପାର୍କ ସମର୍ଥନ ଯୋଜନା, ପ୍ରଡକ୍ସନ୍ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ଯୋଜନା କିମ୍ବା ଔଷଧ ବିଭାଗର ଅନ୍ୟ କୌଣସି କେନ୍ଦ୍ରୀୟ ଯୋଜନା ଅଧୀନରେ ବଲ୍କ ଡ୍ରଗ୍ ପାର୍କ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ନାହିଁ।

ଫଳରେ ଓଡ଼ିଶାରେ ବଲ୍କ ଡ୍ରଗ୍ ପାର୍କ ସ୍ଥାପନ ନେଇ ଏବେ କୌଣସି କେନ୍ଦ୍ରୀୟ ପ୍ରକଳ୍ପ ଅନୁମୋଦିତ ହୋଇନଥିବା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *